ନିଲାମ ହେଲା ବିଦ୍ୟା ବାଲାନ୍ ପିନ୍ଧିଥିବା ସମ୍ବଲପୁରୀ ଶାଢୀ, କିଣିଲେ ଓଡିଆ ଝିଅ ଦେବାଂଶୀ ମିଶ୍ର
ଭୁବନେଶ୍ବର:-ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନିକଟରେ ‘ଶକୁନ୍ତଳା ଦେବୀ’ ନାମକ ଏକ ଫିଲ୍ମ ରିଲିଜ୍ ହୋଇଥିଲା। ଫିଲ୍ମରେ ବିଦ୍ୟା ଦେଶର ବିଶିଷ୍ଟ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ପ୍ରମୋଶନରେ ବିଦ୍ୟା ବାଲାନ୍ ‘ଗାଣିତିକ ସମୀକରଣ’ ଥିବା ଏକ ଶାଢୀ ପିନ୍ଧିଥିଲେ। ଏହି ଶାଢୀ ପିନ୍ଧିବା ପରେ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ବିଦ୍ୟା ମଧ୍ୟ ଭିଡିଓ ଯୋଗେ ଏହି ସମ୍ବଲପୁରୀ ଶାଢୀକୁ ଖୁବ୍ ପ୍ରଶଂସା କରିଥିଲେ। ବିଦ୍ୟା ପିନ୍ଧିଥିବା ସେହି ଶାଢୀଟି ଏବେ ୫୫,୦୦୦ ଟଙ୍କାରେ ନିଲାମ ହୋଇଛି। ଆଉ ସବୁଠାରୁ ବଡ କଥା ହେଲା ଏହାକୁ କିଣିଛନ୍ତି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଦେବାଂଶୀ ମିଶ୍ର। ଦେବାଂଶୀ ଏବେ ଆଇଆଇଟି ଗୌହାଟିର ଛାତ୍ରୀ।ଦେବାଂଶୀ ୫୫,୦୦୦ ଟଙ୍କାରେ ଏହି ସମ୍ବଲପୁରୀ ବାନ୍ଧ ସିଲକ୍ ଶାଢୀକୁ କିଣିଛନ୍ତି। ଏବେ ଏହି ଟଙ୍କାକୁ ଶାଢୀର ପ୍ରକୃତ ବୁଣାକାର ଭାଗବତ ମେହରଙ୍କୁ ପ୍ରଦାନ କରାଯିବ ବୋଲି ‘ଉତ୍କଳମିତ୍ର’ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛି। ଭୁବନେଶ୍ବରର ସାବତ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡର ବ୍ରାଣ୍ଡନେମ୍ ‘ଉତ୍କଳମିତ୍ର’ ମାଧ୍ୟମରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଏହି ଶାଢୀ ଉପହାରରେ ଦିଆଯାଇଥିଲା।‘ଉତ୍କଳମିତ୍ର’ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛି, ଶେଷରେ ଇ-ନିଲାମୀ ଯୋଗେ ବିଜେତା ମିଳିଯାଇଛନ୍ତି। ୫୫ହଜାର ଟଙ୍କାରେ ୨୦ ବର୍ଷୀୟ ଓଡିଆ ଝିଅ ଦେବାଂଶୀ ମିଶ୍ର ସମାନ ଶାଢୀ ଶ୍ରୀ ଗଣିତ ସମ୍ବଲପୁରୀ ବାନ୍ଧ ସିଲକ୍ ଶାଢୀକୁ କିଣିଛନ୍ତି, ଯାହାକୁ ବିଦ୍ୟା ବାଲନ୍ ୩୦ ଜୁଲାଇରେ ‘ଶକ୍ତୁନ୍ତଳା ଦେବୀ’ ଫିଳ୍ମର ପ୍ରମୋଶନ୍ ବେଳେ ପିନ୍ଧିଥିଲେ। ଏବେ ସମସ୍ତ ଟଙ୍କାକୁଏହି ଶାଢୀର ପ୍ରକୃତ ବୁଣାକାରଙ୍କୁ ପ୍ରଦାନ କରାଯିବ।