ନିଦ ହଜାଇ ଦେଲା ଗୁଣ୍ଡିଚା ମନ୍ଦିର ଦଳାଚକଟା ଅଘଟଣ
ଭୁବନେଶ୍ବର:- ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ଅକାଳ ବିୟୋଗ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ପୁରୀ ଗଜପତି ଦିବ୍ୟସିଂହଦେବ ମଧ୍ୟ ଏହି ଘଟଣାରେ ମର୍ମାହତ ବୋଲି କହିବା ସହିତ ଏହାର ବ୍ୟାପକ ତଦନ୍ତ ସହିତ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତି ନ ହୁଏ ସେଥିପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଉପରେ ଶାଣୀତ ଆକ୍ରମଣ କରିଛନ୍ତି। ତେବେ ଘଟଣାର କିଛି ସମୟ ମଧ୍ୟେର ରାଜ୍ୟ ସରକାର ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦାୟିତ୍ବରେ ଥିବା ଦୁଇ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହିତ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି। ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ସାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ମୃତକଙ୍କ ନିକଟ ସମ୍ପର୍କିୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଦଳାଚକଟା ଘଟଣାରେ ଦୋଷୀଙ୍କୁ ଖୋଜିବା ଲାଗି ଉନ୍ନୟନ କମିଶନରଙ୍କୁ ସରକାର ତଦନ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ଏହି ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ପୁରୀ ଦଳାଚକଟା ଘଟଣା ପାଇଁ ଆଜି ରବିବାରରେ ମଧ୍ୟ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ସଚିବାଳୟ ବେଶ୍ ଚଳଚଞ୍ଚଳ ରହିଥିଲା। ଏତେ ବଡ଼ ଅଘଟଣ ପରିପ୍ରେକ୍ଷୀରେ ସକାଳୁ ସକାଳୁ ବରିଷ୍ଠ ଅଧିକାରୀ କାର୍ଯ୍ୟାଳୟକୁ ଧାଇଁ ଥିଲେ। ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ୩୦ ଦିନ ଭିତରେ ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରାଯିବା ସହିତ ଦୋଷୀଙ୍କ ବିରାଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ରବିବାର ଘଟଣା ମହାପ୍ରଭୂଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପେର ମଧ୍ୟ ପଡିଛି। ସମସ୍ତଙ୍କ ମନରେ ଭୟ ସଂଚାର ହେଉଥିବା ବେଳେ କଡ଼ାକଡ଼ି ଶୃଙ୍ଖଳା ବ୍ୟବସ୍ଥା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ହେଉଛି।










