ଖୋଲୁଛି ପାରାଦ୍ୱୀପ ପୋର୍ଟ ଦୃନୀତୀ , ବାହୁବଳୀ ଅଧିକାରୀ ଶ୍ରୀମାନଙ୍କ କଥାରେ ହେଉଛି ବଡ଼ ଘୋଟାଲା

କଟକ,୬ ।୭(ବ୍ୟୁରୋ) : ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ ମ୍ୟାନେଜର(ଡିଟିଏମ) ଶ୍ରୀମାନ ନାରାୟଣ ମିଶ୍ରଙ୍କ ଦୁର୍ନୀତିର କଳାଚିଠା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ନିଜ ପଦବୀର ଅପବ୍ୟବହାର କରି ସେ କିଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିପାରିଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏହା ମଧ୍ୟରେ ଇଡି(ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ) ପକ୍ଷରୁ ଶ୍ରୀ ମିଶ୍ରଙ୍କ ଚାକିରି ସଂକ୍ରାନ୍ତୀୟ ରିପୋର୍ଟ ମଗାଯାଇଛି । ସମସ୍ତ ତଥ୍ୟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ତଥ୍ୟ ପ୍ରଦାନରେ ବିଳମ୍ବତା ଏବେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଆଣିଛି । ଯେଉଁଠି ସାମାନ୍ୟ ଅବହେଳା କଲେ ଅନ୍ୟ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉଥିଲା ସେଠାରେ ଶ୍ରୀ ମିଶ୍ରଙ୍କ ଦୁର୍ନୀତିକୁ ଅଣଦେଖା କରାଯିବା ବନ୍ଦର କର୍ତ୍ତୃପକ୍ଷଙ୍କ ସଂପୃକ୍ତିକୁ ଦର୍ଶାଉଛି । ଏମିତିକି ମାମଲାକୁ ଚପାଇଦେବା ପାଇଁ ମୋଟା ଅଙ୍କର ଆର୍ଥିକ କାରବାର ସହିତ ଦିଲ୍ଲୀରୁ ଚାପ ପକାଯାଉଥିବା ଚର୍ଚ୍ଚା ମଧ୍ୟ ହେଉଛି ।
ପାରାଦୀପ ନୂଆବଜାର ଅଞ୍ଚଳର ଶ୍ରୀମାନ ନାରାୟଣ ମିଶ୍ର ୨୦୦୩ ମସିହାରେ ଚାକିରିରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ପାରାଦୀପ ବନ୍ଦରରେ ଡେପୁଟି ଟ୍ରାଫିକ ମ୍ୟାନେଜନ(ଡିଟିଏମ) ଭାବେ କାର୍ଯ୍ୟରତ ଅଛନ୍ତି । ମୁଖ୍ୟତଃ ଦୀର୍ଘ ୨୩ ବର୍ଷ ଧରି ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସ୍ଥାନରେ କିଭଳି ଚାକିରିରେ ଅଛନ୍ତି ତାହା ତଦନ୍ତ ସାପେକ୍ଷ । ଏହି ୨୩ ବର୍ଷ ମଧ୍ୟରେ ଶ୍ରୀ ମିଶ୍ରଙ୍କ ସମ୍ପତ୍ତି ମଧ୍ୟ ଆଶାତୀତ ବୃଦ୍ଧି ପାଇଛି । ତାଙ୍କର ପାରାଦୀପ ସମେତ କଟକ, ଭୁବନେଶ୍ୱର ଓ ପୁରୀ ସହରରେ ବହୁ ମୂଲ୍ୟବାନ ଜମି, ଘର, ଦାମୀ ଗାଡି ରହିଛି । ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ହେବ । ଆଉ ଏହି ସବୁ ସମ୍ପତ୍ତି ‘କାନମାସ’ ନାମକ ଏନଜିଓରେ ସାମିଲ ହେବା ପରେ କ୍ରୟ କରାଯାଇଥିବା ଜଣାପଡିଛି । ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଏନଜିଓର କାର୍ଯ୍ୟକଳାପ ପାରାଦୀପ ଅଞ୍ଚଳରେ ସୀମିତ । ଏହାକୁ ଢାଲ କରି ଏନଜିଓର ସଂପାଦକ ଥିବା ଶ୍ରୀ ମିଶ୍ର କୁଜଙ୍ଗ ନିହାରୁଣୀ ମୌଜାର ଖାତା-ନଂ ୧୮୧/୬୦, ପ୍ଲଟ-ନଂ ୨୦/୩୭୯ରେ ସଂସ୍ଥା ନାଁରେ ୭ ଡିସିମିଲର ଜମି କିଣିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୪୨ଲକ୍ଷ ଟଙ୍କା ହେବ । ସମାନ ଉପାୟରେ ନିହାରୁଣୀ ମୌଜା ଖାତା-ନଂ ୧୮୧/୫୭, ପ୍ଲଟ-ନଂ ୨୧/୩୭୭ରେ ୪୨ ଲକ୍ଷ ମୂଲ୍ୟର ୭ ଡିସିମିଲ ଜମି ରହିଛି । ସେହିପରି ୨୦୨୩ ମସିହାରେ ବାମାଦେଇପୁର ମୌଜାର ଖାତା-ନଂ ୫୫୬/୬୪୮, ପ୍ଲଟ-ନଂ ୩୮୦/୨୦୫୩ରେ ଘନିଷ୍ଠ ଦେବଯାନୀ ମହାନ୍ତିଙ୍କ ନାଁରେ ପ୍ରାୟ ୨କୋଟି ମୂଲ୍ୟର ୫୦ ଡିସିମିଲ ଜମି ଏବଂ ୨୦୨୧ ମସିହାରେ ନିହାରୁଣୀ ମୌଜା ଖାତା-ନଂ ୧୮୧/୮୦, ପ୍ଲଟ-ନଂ ୧୭/୩୯୧ରେ ଅନ୍ୟତମ ଘନିଷ୍ଠ ବିପ୍ଲବ କୁମାର ଜେନାଙ୍କ ନାଁରେ ୪୨ଲକ୍ଷର ୬ ଡିସିମିଲର ଜମି କିଣାଯାଇଛି । ଏହି ଦୁଇ ସହଯୋଗୀଙ୍କ ଆୟ ତୁଳନାରେ ଜମିର ମୂଲ୍ୟ ସନେ୍ଦହକୁ ବଢାଇଛି । ଏସବୁ ବ୍ୟତୀତ ବାମାଦେଇପୁର ମୌଜା ଖାତା-ନଂ ୫୫୬/୩୮୬, ପ୍ଲଟ-ନଂ ୩୮୦/୨୦୪୦ରେ ଖୋଦ ଶ୍ରୀ ମିଶ୍ରଙ୍କ ନାଁରେ ୨କୋଟି ମୂଲ୍ୟର ୫୦ ଡିସିମିଲ ଜମି, ନିହାରୁଣୀ ମୌଜା ଖାତା-ନଂ ୧୮୧/୫୮, ପ୍ଲଟ-ନଂ ୨୨/୩୭୮ରେ ୫୬ ଲକ୍ଷ ମୂଲ୍ୟର ୮ ଡିସିମିଲ ଜମି, କୁଜଙ୍ଗ ତହସିଲ ଉଦୟବଟ ମୌଜା ଖାତା ନଂ ୮୮୧/୪୧୩, ପ୍ଲଟ-ନଂ ୧୦୩୭/୨୧୩୬ରେ ୫୬ ଲକ୍ଷର ୫ ଡିସିମିଲ, ଭୁବନେଶ୍ୱର ରଘୁନାଥପୁର ମୌଜା ଖାତା-ନଂ ୫୫୧/୨୧୧୨, ପ୍ଲଟ-ନଂ ୯୯/୩୮୩୨ରେ ସର୍ବାଧିକ ୮ କୋଟି ମୂଲ୍ୟ ୮ ଡିସିମିଲ ଜମି ରହିଛି । ଏହିପରି ଭାବେ ଶ୍ରୀ ମିଶ୍ରଙ୍କ ମାଲିକାନାରେ ୮କୋଟି ୩୮ଲକ୍ଷ ଟଙ୍କାର ମୋଟ ୧୪୧ ଡିସିମିଲ ଜମି ରହିଛି । ସନେ୍ଦହକୁ ଏଡାଇବା ଲାଗି ବାମଦେଇପୁର ସ୍ଥିତ ଜେଏସଡବ୍ଲୁ କାରଖାନା ନିକଟରେ ଗୋଟିଏ ପ୍ଲଟକୁ ତିନି ଭାଗ କରି କିଣାଯାଇଛି । ପାରାଦୀପ, ଭୁବନେଶ୍ୱର ବ୍ୟତୀତ କଟକ ଏବଂ ପୁରୀ ସହରରେ ମଧ୍ୟ ମୂଲ୍ୟବାନ ଜମି ରହିଛି । ଜମିକୁ ବାଦ ଦେଇ ତାଙ୍କର ଘର, ଆସବାବପତ୍ର, ଗାଡି, ଗହଣା ଓ ନିବେଶ ଅର୍ଥର ପରିମାଣ ୧୦କୋଟିରୁ ଉଦ୍ଧ୍ୱର୍ ହେବ । ତେବେ ଏଠାରେ ସନେ୍ଦହର ବିଷୟ ହେଉଛି, ଯେଉଁ ଦୁଇ ଘନିଷ୍ଠଙ୍କ ନାଁରେ ପ୍ରାୟ ୩ କୋଟିର ୨ଟି ପ୍ଲଟ କିଣାଯାଇଛି; ସେମାନଙ୍କ ମାସିକ ଆୟ ୫୦ ହଜାରରୁ କମ । ତାହେଲେ ସେମାନେ ଏତେ ମୂଲ୍ୟବାନ ଜମି କିଣିବାରେ କିଭଳି ସକ୍ଷମ ହେଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଯେଉଁ ଏନଜିଓରେ ଶ୍ରୀ ମିଶ୍ର ସଂପାଦକ ଅଛନ୍ତି ଉକ୍ତ ସଂସ୍ଥା ଦୀର୍ଘ ବର୍ଷ ହେବ ତାର କାର୍ଯ୍ୟକଳାପ ସଂକ୍ରାନ୍ତୀୟ ରିପୋର୍ଟ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କିମ୍ବା ସରକାରୀ ବିଭାଗକୁ ପ୍ରଦାନ କରୁନଥିବା ଜଣାପଡିଛି । ଏହି ଏନଜିଓ ମାଧ୍ୟମରେ ଶ୍ରୀ ମିଶ୍ର ପୂରା ପରାଦୀପ ବନ୍ଦରର ସମସ୍ତ କାରବାର ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଖାସକରି ବର୍ଥରେ ଜାହାଜକୁ ସଅଳ ପ୍ରବେଶ, ଆଙ୍କରିଂ, ଲୋଡିଂ ଅନୁମତି ଆଳରେ ଷ୍ଟିଭେଡର୍ସ, ଶିଳ୍ପାନୁଷ୍ଠାନ ଏବଂ ବିଭିନ୍ନ ସିପିଂ ସଂଘ ଠାରୁ ଟଙ୍କା ଆଦାୟ କରାଯାଉଛି । ଲାଞ୍ଚ ଆଦାୟରେ ବନ୍ଦରରେ ସିଗନାଲମ୍ୟାନ ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ମୁଖ୍ୟ ସୂତ୍ରଧର ଅଛନ୍ତି । ଗୋଟିଏ ପଟେ ଶ୍ରୀ ମିଶ୍ର ବନ୍ଦରରେ ବିଭିନ୍ନ ସଂସ୍ଥାକୁ ଅନୁକମ୍ପା ଦେଖାଇ ହରିଲୁଟ କରୁଥିଲା ବେଳେ; ଅନ୍ୟପଟେ ଏନଜିଓ ଗଠନ କରି ସେଠାକାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେବା ଯୋଗାଉଥିବା ଅନେକ କର୍ମଚାରୀ ଅଭିଯୋଗ କରିଛନ୍ତି । ଯଦ୍ୱାରା ବନ୍ଦରରେ ଦୀର୍ଘ ବର୍ଷ ଧରି ଶ୍ରୀ ମିଶ୍ରଙ୍କ ରାଜୁତି ରହିଆସିଛି । ବାହୁବଳୀ ସଦୃଶ ସମ୍ପୂର୍ଣ୍ଣ ବନ୍ଦରର ଏକପ୍ରକାର ନିୟନ୍ତ୍ରଣ ତାଙ୍କ ହାତରେ ରହିଛି । ଏମିତିକି ନିଜର ବାର୍ଷିକ ସମ୍ପତ୍ତି ତାଲିକା ନଦେବା ଏବଂ ନିଯୁକ୍ତି ସମୟରେ ଜାଲିଆତି ଅଭିଜ୍ଞତା ପ୍ରମାଣପତ୍ର ଦାଖଲ ମାମଲାକୁ ଚାପିଦିଆଯାଇଛି । ଯେଉଁଠି ସମାନ ଘଟଣାରେ ଦୁଇ ଜଣ ଅଧିକାରୀ ଚାକିରି ହରାଇଥିଲେ । ଏବେ ବିଭିନ୍ନ ଆଳ ଦେଖାଇ ସୂଚନା ଅଧିକାର ଆଇନ (ଆରଟିଆଇ)ରେ ଶ୍ରୀ ମିଶ୍ରଙ୍କ ଚାକିରି ସମ୍ବନ୍ଧୀୟ ତଥ୍ୟ କର୍ତ୍ତୃପକ୍ଷ ଦେଉନାହାନ୍ତି । ଏଭଳି ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ ପରେ ଲୋକପାଳ ଘଟଣାକୁ ଗୁରୁତ୍ୱର ସହ ନେଇ ଇଡିକୁ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଇଡି ପକ୍ଷରୁ ଶ୍ରୀ ମିଶ୍ରଙ୍କ ଚାକିରି ସଂକ୍ରାନ୍ତୀୟ ତଥ୍ୟ ମଗାଯାଇଥିଲେ ହେଁ ବନ୍ଦର କର୍ତ୍ତୃପକ୍ଷ ରିପୋର୍ଟ ପ୍ରଦାନ କରୁନାହାନ୍ତି । ଦୁଇ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ବି କର୍ତ୍ତୃପକ୍ଷ ତଥ୍ୟ ନଦେଇ ତଦନ୍ତ ପ୍ରକି୍ରୟାକୁ ବିଳମ୍ବିତ କରିବା ଆହୁରି ସନେ୍ଦହ ବଢାଇଛି । ଏପରିକି ନିଜକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମିଶ୍ର ବନ୍ଦରର ଉଚ୍ଚକର୍ତ୍ତୃପକ୍ଷ ଓ ଏନଜିଓ ମାଧ୍ୟମରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କରୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *