ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ଗରିବ ଲୋକଙ୍କୁ ଋଣ ଦେବାରେ ହେଳା କରନି
ଭୁବନେଶ୍ବର:- ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇ ଫେରାଉ ନାହାନ୍ତି। ବରଂ ଟଙ୍କା ନେଇ ନିଜେ ଫେରାର ହୋଇଯାଉଛନ୍ତି। କିନ୍ତୁ ଗରିବ ଲୋକଟିଏ ଯଦି ଛୋଟ ମୋଟ ବ୍ୟବସାୟ କରିବା ପାଇଁ ଋଣ ପାଇଁ ଆବେଦନ କରୁଛି ତା ହେଲେ ସଫା ସଫା ମନା କରି ଦିଆଯାଉଛି। ଯଦି ଋଣ ଦିଆଯାଉଛି ତା ହେଲେ ଶହେ ପ୍ରକାର କାଗଜପତ୍ର, ଗ୍ୟାରେଣ୍ଟି ଦେବା ପାଇଁ ବାଧ୍ୟ କରାଯାଉଛି। ବିଚରା ଗରିବ ଲୋକଟି ସତ୍ ମାର୍ଗରେ ଋଣ ଅର୍ଥ ବିନିଯୋଗ ପାଇଁ ଚାହୁଁ ଥିଲେ ବି କାନମୁଣ୍ଡ ଆଉଁସି ବ୍ୟାଙ୍କରୁ ପଳାଇ ଆସୁଛି ଆଉ ସାହୁକାର ଠାରୁ ଚଢ଼ା ସୁଧରେ ଋଣ ଆଣି କାମରେ ଲଗାଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏପରି ଆଚରଣ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫା ସଫା ଶୁଣାଇ ଦେଇଛନ୍ତି। ଅଯୋଗ୍ୟ ସିଦ୍ଧ ବିନା ବ୍ୟାଙ୍କ କର୍ତ୍ତୃପକ୍ଷ କାହାକୁ ଋଣ ପାଇଁ ମନା କରିପାରିବେ ନାହିଁ। କିଛି ଦିନ ତଳେ ଖରାପ ପ୍ରଦର୍ଶନ ପାଇଁ ସରକାରୀ ଗତ ଜୁନ୍ ୨୧ ତାରିଖରେ ମାନ୍ୟତାପ୍ରାପ୍ତ ବ୍ୟାଙ୍କ ତାଲିକାରୁ ସରକାର ବାଦ୍ ଦେଇଥିବା ତିନିଟି ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ ନିଜେ ଆଲୋଚନା କରି ଗରିବ ଲୋକୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ଋଣ ପ୍ରଦାନରେ ଖିଲାପ ନ କରିବା ଲାଗି ତାଗିଦ କରିଛନ୍ତି। ଆଗକୁ ଏପରି ହେବ ନାହିଁ ବୋଲି ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ୠଣ ଦେବାପାଇଁ କହିଛନ୍ତି। କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (ପିଏମ୍ଇଜିପି), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର ଏମ୍ପାନେଲଡ୍ ଲିଷ୍ଟରୁ କାଢିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ। କିନ୍ତୁ, ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ। ତେଣୁ, ଏହି ସବୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଯୋଜନାରେ ଯେଉଁଥିରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି, ସେଥିରେ ଅଧିକ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।










