୨୦୩୬ ସୁଦ୍ଧା ଓଡ଼ିଶାରେ ଗଡିବ ୫୦% ଇଭି

ଭୁବନେଶ୍ବର:- ୨୦୩୬ ସୁଦ୍ଧା ସମସ୍ତ ନୂତନ ଯାନ ପଞ୍ଜୀକରଣରେ ଅତି କମରେ ୫୦% ବ୍ୟାଟେରୀ ବୈଦ୍ୟୁତିକ ଯାନ ଲକ୍ଷ୍ୟ ରଖିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥି ପାଇଁ ସରକାର ଓଡ଼ିଶା ଇଭି ନୀତି-୨୦୨୧ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇଭି ପ୍ରତି ଲୋକଙ୍କୁ ଆକୃଷ୍ଠ କରିବା ଲାଗି ରାଜ୍ୟର ପ୍ରମୁଖ ସହରରେ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ପାଇଁ ଶକ୍ତି ବିଭାଗକୁ ଅନୁରୋଧ କରିଛି ବାଣିଜ୍ୟ ଓ ପରିବହନ ବିଭାଗ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଶ କରିବା ଅବସରରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ରାଜ୍ୟରେ ଇଭି ଯାନ ପଞ୍ଜୀକରଣ ବୃଦ୍ଧି ପାଉଛି। ୨୦୨୧ ମସିହାରେ ୧.୧୬% ଇଭି ପଞ୍ଜୀକରଣ ହୋଇଥିଲା ବେଳେ ଚଳିତ ଜୁନ୍ ୨୦ ସୁଦ୍ଧା ଏହା ୮.୭୧%ରେ ପହଞ୍ଚିଛି। ଓଡ଼ିଶାରେ ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ୫୫୦ ଚାର୍ଜିଂ ଷ୍ଟେସନ୍ ଅଛି। ଇଭି ପ୍ରତି ଲୋକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟରେ ଓଡ଼ିଶା ଇଭି ନୀତି ୨୦୨୧ରେ ସଂଶୋଧନ କରାଯାଉଛି। ଇଭି କ୍ରେତା ଏବଂ ଚାର୍ଜ ପଏଣ୍ଟ ଅପରେଟର ପାଇଁ ପ୍ରୋତ୍ସାହନ ବୃଦ୍ଧି, ପ୍ରଥମ ଆସ-ପ୍ରଥମେ ସେବା ଆଧାରରେ ରାଜ୍ୟ ବଜେଟରୁ ପ୍ୟାନେଲ ହୋଇଥିବା ଚାର୍ଜିଂ ପଏଣ୍ଟକୁ ପ୍ରୋତ୍ସାହନ, ଉତ୍ସର୍ଗୀକୃତ ଇଭି ପାଣ୍ଠି ସୃଷ୍ଟି କରିବା, ସହରାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଚାର୍ଜିଂ ପଏଣ୍ଟ ସ୍ଥାପନ ପାଇଁ ପରିବହନ ବିଭାଗ ପଦକ୍ଷେପ ନେଉଛି ବୋଲି ବୈଠକରେ କୁହାଯାଇଥିଲା। ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *