ଲିଖିତ ପ୍ରତିଶ୍ରୁତି ଦେଲେ, ଆଉ ଏପରି ଭୁଲ୍ କରିବୁନି

ଭୁବନେଶ୍ବର:- ଆଉ ଭୁଲ୍ କରିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଏଚ୍‌ଡିଏଫ୍‌ସି, ଆକ୍ସିସ୍ ଓ ଆଇସିଆଇସିଆଇ ବ୍ୟାଙ୍କ ଉପରୁ ପ୍ରତିବନ୍ଧକ ହଟାଇଛି ଅର୍ଥ ବିଭାଗ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା, କାର୍ଯ୍ୟକ୍ରମରେ ସହଯୋଗ କରିବା ଏବଂ ଗରିବ ଲୋକଙ୍କୁ ଋଣ ପ୍ରଦାନରେ ଅବହେଳା କରାଯିବ ନାହିଁ ବୋଲି ତିନି ବ୍ୟାଙ୍କର ଶୀର୍ଷ ଅଧିକାରୀ ଗତ ୧ ତାରିଖ ଦିନ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଲିଖିତ ପ୍ରତିଶ୍ରୁତି ଦେବା ପରେ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି। ତେଣୁ ପୂର୍ବ ଭଳି ଏହି ତିନିଟି ଘରୋଇ ବ୍ୟାଙ୍କରେ ସରକାରୀ ଖାତା ଚାଲୁ ରହିବ ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଭାଗର ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତେବେ ଆକାଉଣ୍ଟ ବନ୍ଦ କରିବା ଲାଗି ଗତ ଜୁନ୍ ୨୧ ତାରିଖରେ ଅର୍ଥ ବିଭାଗ ସରକାରଙ୍କର ସମସ୍ତ ବିଭାଗକୁ ନିର୍ଦେଶ ଦେବା ପରେ ଯେଉଁ ଆକାଉଣ୍ଟ ଗୁଡିକ ବନ୍ଦ ହୋଇସାରିଛି ସେଗୁଡିକ ଆଉ ପୁନଃ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟାନ୍ବୟନରେ ଉପରୋକ୍ତ ତିନି ଘରୋଇ ବ୍ୟାଙ୍କ ସହଯୋଗ କରୁନଥିବା ଅଭିଯୋଗ ଆସିଥିଲା। ସେହିପରି ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ଋଣ ପ୍ରଦାନ କରିବାରେ ମଧ୍ୟ ଏହି ବ୍ୟାଙ୍କ ଅବହେଳା କରୁଥିଲେ। ଏହାକୁ ନେଇ ଅର୍ଥ ବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସରକାରୀ କାରବାର ବାତିଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟାଙ୍କ ତାଲିକାରୁ ଏହି ବ୍ୟାଙ୍କ ଗୁଡିକୁ ବାହାର କରି ଦେଇଥିଲେ। ସବୁ ଟଙ୍କା ଉଠାଇ ଆଣି ଖାତା ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ତେବେ ୧ ତାରିଖ ଦିନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁଲ୍ ସ୍ବିକାର କରିବା ସହିତ ଭବିଷ୍ୟତରେ ଏପରି ଅବହେଳା ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *