ବରିଷ୍ଠ ଆଇନଜୀବୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର
ଭୁବନେଶ୍ୱର, ୨୩,୬(ଅଶୋକ ପାତ୍ର ): ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲଙ୍କ ସନ୍ଦେହଜନକ ମୃତ୍ୟୁ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ଓ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗଳବାର ସକାଳେ ବାଲିଜୁରୀ ରେଳ ଧାରଣା ନିକଟରୁ ତାଙ୍କର ବିଭତ୍ସ ଭାବେ କଟିଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ହତ୍ୟା ଏବଂ ଆତ୍ମହତ୍ୟାର ରହସ୍ୟ ଘନୀଭୂତ ହେବାରେ ଲାଗିଛି। ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅତି ଘନିଷ୍ଠ ଅନୁଗତ ଥିବା ତ୍ରିନାଥଙ୍କ ପରି ଜଣେ ସକ୍ରିୟ ବ୍ୟକ୍ତିତ୍ୱଙ୍କର ଏଭଳି ଅକାଳ ବିୟୋଗକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି।
➡️ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ ମୋବାଇଲ ଜବତ
ରେଳବାଇ ପୋଲିସ୍ (GRP) ଏବଂ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଆକଳନ ଅନୁସାରେ ଏହା ଏକ ଆତ୍ମହତ୍ୟାର ମାମଲା ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଏକ କଂକ୍ରିଟ୍ ପାଚେରୀ ଉପରୁ ମୃତକଙ୍କ ମୋବାଇଲ୍ ଫୋନ୍ ଏବଂ ଏକ ହାତଲେଖା କାଗଜ ଉଦ୍ଧାର କରାଯାଇଛି । ଉକ୍ତ କାଗଜରେ ଓଡ଼ିଆରେ ସ୍ପଷ୍ଟ ଭାବେ ଲେଖାଅଛି—”ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି”। ଏଥିସହିତ ତଳେ ତ୍ରିନାଥ ଗୁଆଲଙ୍କ ସ୍ବାକ୍ଷର ଏବଂ ତାରିଖ ରହିଛି । ପୋଲିସ ଏହି ସୁଇସାଇଡ୍ ନୋଟ୍ ଓ ମୋବାଇଲକୁ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଯାଞ୍ଚ ଚଳାଇଛି।
ପରିବାର ଲୋକଙ୍କ ବିସ୍ଫୋରକ ବୟାନ: “ସେ ଆତ୍ମହତ୍ୟା କରିବା ଲୋକ ନୁହନ୍ତି”
ଅନ୍ୟପଟେ ତ୍ରିନାଥ ଗୁଆଲଙ୍କ ପରିବାର ଏବଂ ସହଯୋଗୀମାନେ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ତାଙ୍କର ପୁତୁରା ଯଦୁମଣି ଗୁଆଲ ଗଣମାଧ୍ୟମ ସାମ୍ନାରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି, *”ମୋ କାକା ମାନସିକ ସ୍ତରରେ ଅତ୍ୟନ୍ତ ଦୃଢ଼ ଥିଲେ। ସେ କେବେବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ଆମର ଦୃଢ଼ ବିଶ୍ୱାସ। ଦୁଇ-ତିନି ଦିନ ପୂର୍ବରୁ ଆମର ଏକ ଜମିବାଡ଼ି ମାମଲାକୁ ନେଇ କଥାବାର୍ତ୍ତା ହୋଇଥିଲା, ଯେଉଁଥିରେ ଅନ୍ୟ ପକ୍ଷକୁ ନୋଟିସ୍ ଯାଇଥିଲା। ମୋତେ ସନ୍ଦେହ ଲାଗୁଛି ଯେ ସେହି ଜମି ବିବାଦ କାରଣରୁ ହିଁ କେହି ଜବରଦସ୍ତ ତାଙ୍କୁ ଏଠାକୁ ଆଣି ହତ୍ୟା କରିଛନ୍ତି କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି। ସେ ପ୍ରତିଦିନ ସକାଳେ କେବଳ ଇକୋ ପାର୍କକୁ ମର୍ଣ୍ଣିଂ ୱାକ୍ ପାଇଁ ଯାଆନ୍ତି, ଏହି ରେଳ ଲାଇନ୍ ଆଡ଼କୁ ସେ କେବେ ଆସନ୍ତି ନାହିଁ। ଏହାର ନିରପେକ୍ଷ ତଦନ୍ତ ହେବା ଦରକାର।”
ତେବେ କେବଳ ଜମି ବିବାଦ ନୁହେଁ, ବରଂ ଅଞ୍ଚଳରେ ଚାଲିଥିବା ଫ୍ଲାଇ-ଆସ୍ (Fly Ash) ବା ପାଉଁଶ ଡମ୍ପିଂ ସମସ୍ୟା ଓ ଏହାର ଆଇନଗତ ବିରୋଧ ଯୋଗୁଁ ତ୍ରିନାଥଙ୍କର ଅନେକ ଶତ୍ରୁ ସୃଷ୍ଟି ହୋଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଏହି ସନ୍ଦେହଜନକ ମୃତ୍ୟୁ ମାମଲାରେ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ପୋଲିସର ପ୍ରାଥମିକ ତଦନ୍ତକୁ ସନ୍ଦେହଘେରକୁ ଟାଣିଛି:
• ସାଧାରଣତଃ ପୋଲିସର ଆନୁଷ୍ଠାନିକ ଇନକ୍ଵେଷ୍ଟ (ଶବ ଚିହ୍ନଟ ଓ ସ୍ଥିତି ଅନୁସନ୍ଧାନ) ପୂର୍ବରୁ ଘଟଣାସ୍ଥଳରୁ ଏଭଳି ସୁଇସାଇଡ୍ ନୋଟ୍ ସାର୍ବଜନୀନ ହେବା ତଦନ୍ତର ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି।
• ଘରଠାରୁ ପ୍ରାୟ ୭-୮ କିଲୋମିଟର ଦୂର ଏହି ନିଛାଟିଆ ରେଳ ଟ୍ରାକକୁ ତ୍ରିନାଥ କେମିତି ଆସିଲେ? ଯଦି ସେ ନିଜ ଗାଡ଼ିରେ ଆସିଥିଲେ, ତେବେ ତାଙ୍କ ଯାନବାହନ ବର୍ତ୍ତମାନ କେଉଁଠି ଅଛି?
• ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ତ୍ରିନାଥ ଗୁଆଲ ସର୍ବଦା ନିଜର ସମସ୍ତ ଆଇନଗତ ଓ ସରକାରୀ ଦସ୍ତାବିଜରେ ଇଂରାଜୀରେ ଦସ୍ତଖତ (Trinath Gual) କରୁଥିଲେ, ଯାହା ତାଙ୍କର ନିର୍ବାଚନୀ ଆଫିଡେଭିଟ୍ ରୁ ସ୍ପଷ୍ଟ ପ୍ରମାଣିତ ହେଉଛି। କିନ୍ତୁ ରେଳ ଧାରଣାରୁ ମିଳିଥିବା ଚିଠିରେ ଓଡ଼ିଆରେ ଲେଖା ହେବା ସହ ହାତଲେଖା ତାଙ୍କର ନୁହେଁ ବୋଲି ସହଯୋଗୀମାନେ ଦାବି କରିଛନ୍ତି। ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି ସନ୍ଦେହ କରାଯାଉଛି।
➡️ ଝାରସୁଗୁଡା ବାର୍ ଆସୋସିଏସନର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି
ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘର ସଭାପତି ରଘୁମଣି ପଟେଲ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାର ସତ୍ୟସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ତ୍ରିନାଥ ଗୁଆଲ ଓକିଲ ସଂଘର ପୂର୍ବତନ ସଭାପତି ତଥା ସମାଜର ଜଣେ ପ୍ରତିଷ୍ଠିତ ଏବଂ ଜନନାୟକ ବ୍ୟକ୍ତିତ୍ୱ ଥିଲେ, ଯିଏ ସଦାସର୍ବଦା ଲୋକଙ୍କ ସେବାରେ ନିୟୋଜିତ ରହୁଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯେଉଁ ଆଘାତ ଚିହ୍ନ ରହିଛି ଏବଂ ସେ ଏହି ରେଳ ଟ୍ରାକକୁ ସେ କେମିତି ଓ କାହିଁକି ଆସିଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।” ଓକିଲ ସଂଘର ସଦସ୍ୟମାନେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଶଙ୍କା କରି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡି ସୂଚନା ଦେଇଛନ୍ତି ଯେ, ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୫:୩୫ ମିନିଟରେ କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ୍ ନମ୍ବର 18108) ଯାଉଥିବା ସମୟରେ ତ୍ରିନାଥ ଗୁଆଲ ହଠାତ୍ ଟ୍ରେନ୍ ସାମ୍ନାକୁ ଆସିଯାଇଥିଲେ ବୋଲି ସମ୍ପୃକ୍ତ ଟ୍ରେନର ଲୋକୋ ପାଇଲଟ୍ ନିଜେ ସାକ୍ଷ୍ୟ ଦେଇଛନ୍ତି ଏବଂ ଏକ ମେମୋ ମଧ୍ୟ ଲେଖିଛନ୍ତି।
ଏସପିଙ୍କ କହିବା ଅନୁଯାୟୀ, ଜିଆରପି ପକ୍ଷରୁ ବର୍ତ୍ତମାନ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ହାତଲେଖା ସୁଇସାଇଡ ନୋଟ୍ର ସତ୍ୟତା ଜାଣିବା ପାଇଁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଏବଂ ସାଇଣ୍ଟିଫିକ୍ ଟିମର ସହାୟତା ନିଆଯାଉଛି। ପରିବାର ଲୋକଙ୍କ ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗ, ଜମି ବିବାଦ ଏବଂ ଶତ୍ରୁତା ପଛର ଅନ୍ୟାନ୍ୟ ଦିଗକୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ସମୟ ସ୍ପଷ୍ଟ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।










