ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ରହିବ ସ୍ବତନ୍ତ୍ର ଶୌଚାଳୟ

ଭୁବନେଶ୍ବର:- ଅଦାଲତକୁ ପ୍ରତ୍ୟେକ ଦିନ ଅନେକ ଲୋକ ଆସୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ଶୌଚାଳୟ ନାହିଁ। ବିଶେଷକରି ତୃତୀୟ ଲିଙ୍ଗୀ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅଲଗା ଶୌଚାଳୟ ଆଜି ବି ଦିବା ସ୍ବପ୍ନ ହୋଇଛି। ମା’ ମାନଙ୍କ ପାଇଁ ସ୍ତନ୍ୟପାନ କୋଠରୀ ନାହିଁ। ଦୁଇ ବର୍ଷ ତଳୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଲେଣି, ତଥାପି କାମ ହୋଇପାରୁ ନାହିଁ। ଏବେ ପୁଣି ଥରେ ଅଦାଲତ ସରକାରଙ୍କୁ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେଇଛନ୍ତି। ଫଳରେ ଅଦାଲତରେ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ସମସ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଶୌଚାଳୟ ନିର୍ମାଣର ବ୍ୟୟ ଅଟକଳ ପ୍ରଦାନ କରିବା ପାଇଁ କହିଛି। ଏଥିରେ କୁହାଯାଇଛି ଯେ ଅଦାଲତଙ୍କ ନିର୍ଦେଶ ଅନୁସାରେ ସମସ୍ତ କୋର୍ଟ ଏବଂ ଟ୍ରିବନୁନାଲରେ ମହିଳା, ପୁରୁଷଙ୍କ ଭଳି ଦିବ୍ୟାଙ୍ଗ ଓ ତୃତୀୟଲିଙ୍ଗୀଙ୍କ ପାଇଁ ଅଲଗା ଶୌଚାଳୟ ରହିବା ଆବଶ୍ୟକ। ପ୍ରତି ଦିନ ଏଠାକୁ କେତେ ଲୋକ ଆସୁଛନ୍ତି ସେହି ଆଧାରରେ ଶୌଚାଳୟ ରହିବା ଆବଶ୍ୟକ। ଦିବ୍ୟାଙ୍ଗ ନାଗରିକ ଯେପରି ସହଜରେ ଶୌଚାଳୟକୁ ଯା ଆସ କରିପାରିବେ ସେଥିପାଇଁ ରାମ୍ପ ରହିବା ଆବଶ୍ୟକ। ଶୌଚାଳୟରେ ପାଣି ସଂଯୋଗ, ପରିମଳ, ନାପକିନ୍, ସାବୁନ, ଟୟଲେଟ୍ ପେପର ଆଦି ଥିବା ଏବଂ ଦିବ୍ୟାଙ୍ଗ, କିନ୍ନର ମାନଙ୍କ ପାଇଁ ଶୌଚାଳୟ ଉଦ୍ଦିଷ୍ଟ ବୋଲି ମଧ୍ୟ ସ୍ପଷ୍ଟ ସୂଚନା ଫଳକ ଲାଗିବା ଜରୁରୀ। ସେହିପରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଅଲଗା କୋଠରୀ ନିର୍ମାଣ ହେବା ଆବଶ୍ୟକ। ଜେଣୁ ଜିଲା ଜଜ୍‌ଙ୍କ ସହ ଆଲୋଚନା କରି ଶୌଚାଳୟ ଓ ସ୍ତନ୍ୟପାନ ଗୃହ ନିର୍ମାଣ ପାଇଁ ବ୍ୟୟ ଅଟକଳ ଦାଖଲ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ଏପ୍ରିଲ ମାସରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସଚିବ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖି ସମାନ କଥା କହିଥିଲେ। ଦୁଇ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ କୋର୍ଟ ଏବଂ ଟ୍ରିବୁନାଲରେ ଦିବ୍ୟାଙ୍ଗ, କିନ୍ନରମାନଙ୍କ ଶୌଚାଳୟ ଆବଶ୍ୟକତା ଶୀଘ୍ର ପୂରଣ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *