ଭୁବନେଶ୍ବରରେ ରଣହୁଙ୍କାର ଦେବେ ରାହୁଲ ଗାନ୍ଧୀ
ଭୁବନେଶ୍ବର:- ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହିତ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଆସିବେ। ଏହି ଦିନ ସ୍ଥାନୀୟ ବରମୁଣ୍ଡା ପଡିଆ ଠାରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେଇ ଶ୍ରୀ ଗାନ୍ଧୀ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ସଂଗ୍ରାମ ଡାକରା ଦେବେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କଂଗ୍ରେସର ଏହା ହେବ ସର୍ବ ବୃହତ ରାଜନୈତିକ ସମାବେଶ। ରାହୁଲଙ୍କ ଗସ୍ତ ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ବଳ ଖଟାଇ ଦେବା ଲାଗି ପିସିସି ସଭାପତି ଦଳୀୟ ନେତୃବୃନ୍ଦଙ୍କୁ ଆହ୍ବାନ ଜଣାଇଛନ୍ତି। ଦଳର ସର୍ବୋଚ୍ଚ ନେତା ଓଡ଼ିଶା ଆସୁଥିବାରୁ ରାଜ୍ୟ କଂଗ୍ରେସ୍ ନେତା ଓ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଡବଲ ଇଞ୍ଜିନ୍ ସରକାର ବିରୋଧରେ ରଣହୁଙ୍କାର ଦେଇ ଆଗକୁ ବଢ଼ୁ ଥିବା ଓଡ଼ିଶା କଂଗ୍ରେସ୍ ପାଇଁ ରାହୁଲଙ୍କ ଗସ୍ତ ଇନ୍ଧନ ସଦୃଶ କାମ କରିବ ବୋଲି କୁହାଯାଉଛି।










