ସବୁ କରି ସୁଦ୍ଧା ଅବାଞ୍ଚିତ ଝାମେଲା ମୁଣ୍ଡାଇଛନ୍ତି ମୋହନ ସରକାର
ଭୁବନେଶ୍ବର:- ’ବର୍ଷ ଏକ, ସଫଳତା ଅନେକ’ ନାରା ଦେଇ ସରକାର ଦିନ କେଇଟା ତଳେ ପ୍ରଥମ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କଲେ। ପ୍ରଥମ ବର୍ଷରେ ଲୋକଙ୍କ ଆସ୍ଥାଭାଜନ ହେବା ଲାଗି ଭରପୂର ଉଦ୍ୟମ କରିଥିଲେ ମୋହନ ସରକାର। ଆଗାମୀ ଦିନ ପାଇଁ ମଧ୍ୟ ସରକାର ଓ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। କିନ୍ତୁ ରଥଯାତ୍ରା ଠାରୁ ଆରମ୍ଭ ହୋଇଥିବା ଅଘଟଣ ବିଏମ୍ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାପି ଯାଇଛି। ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତୀର ଉତ୍ସବ ମାହୋଲକୁ ପୂରା ବିଗାଡି ଦେଇଛି ଏହି ଘଟଣା। ବଡ଼ କଥା ହେଲା କିଛି ସରକାରୀ ଅଧିକାରୀ ଓ ଦଳୀୟ କର୍ମୀଙ୍କ ପାଇଁ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡୁଛି। ନାନା କଥା ଶୁଣିବାକୁ ପଡୁଛି।
ଡବଲ ଇଞ୍ଜିନ୍, ଡବଲ ବିକାଶ ନାରା ଦେଇ ଓଡ଼ିଶାବାସୀଙ୍କ ଭୋଟ ପାଇଥିବା ବିଜେପି କ୍ଷମତାର ପ୍ରଥମ ବର୍ଷରେ ବହୁ ଲୋକପ୍ରିୟ ଓ ମନଲୋଭା ପଦକ୍ଷେପ ନେଲେ। ନିର୍ବାଚନରେ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରୁଛନ୍ତି। ରାଜ୍ୟକୁ ଆଗକୁ ନେବା ଲାଗି ମୁଖ୍ୟମନ୍ତ୍ରୀ ପରିଶ୍ରମ କରୁଛନ୍ତି। ହେଲେ ପୁରୀ ରଥଯାତ୍ରାରେ ଦଳା ଚକଟା ଘଟଣା ଓ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ଘଟଣା ସରକାରଙ୍କ ନିଦ ହଜାଇ ଦେଇଛି। ମୁଖ୍ୟ ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ଖାତା ଖତିଆନ ନଥିବା ଦଳ ଏବେ ସରକାରଙ୍କୁ ନାଲି ଆଖି ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଇସ୍ତଫା ଦାବି କରୁଛନ୍ତି। ଦୁଇ ଦିନ ତଳେ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଖୋଲା ଖୋଲି ଭାବେ କଂଗ୍ରେସ୍ ଆନ୍ଦୋଳନକାରୀଙ୍କ ଗୋଡ଼ ଭାଙ୍ଗି ପୁରସ୍କାର ନେବା ଲାଗି ନିଜ ଫୋର୍ସକୁ ନିର୍ଦେଶ ଦେବା ଘଟଣା ମଧ୍ୟ ସକରାରଙ୍କ ପାଇଁ କିଛି କମ୍ ଅଡୁଆ ପରିସ୍ଥିତି ସୃଷ୍ଟି କରି ନାହିଁ। ଆଗକୁ ପଞ୍ଚାୟତ ଓ ପରେ ପୌର ନିର୍ବାଚନର ସମ୍ମୁଖୀନ ହେବେ ସରକାର। ସାଂଗଠନିକ ନିର୍ବାଚନ ବାକି ଅଛି, ନିଗମ ବଣ୍ଟା ବି ହୋଇନାହିଁ। ଏମିତି ଅବସ୍ଥାରେ ଅବାଞ୍ଚିତ ଝାମେଲା ଉଭୟ ଦଳ ଓ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।










