ସେଲ୍ଫି ପାଇଁ ରଥଯାତ୍ରାରେ ଦଳାଚକଟା ?

ଭୁବନେଶ୍ବର:- ରବିବାର ସକାଳୁ ସକାଳୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟି ତିନି ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ତେବେ ବଡ଼ ପ୍ରଶ୍ନ ଉଠୁଛି ସବୁ ଥର ରଥଯାତ୍ରାରେ ଅସମ୍ଭବ ଭିଡ଼ ହେଉଥିବା ବେଳେ ଏଥର କ’ଣ ପାଇଁ ଲୋକଙ୍କ ପ୍ରାଣ ଯିବା ଭଳି ପରିସ୍ଥିତି ସୃଷ୍ଟି ହେଲା? ଘଟଣା ପରେ ପରେ ପୁଲିସ ମହାନିର୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା ହୋଇଛି। କିନ୍ତୁ ଏହା ଦେଖାଯାଉଛି ଯେ ବହୁ ସଂଖ୍ୟକ ଲୋକ ମୋବାଇଲ୍ ଫୋନ୍‌ରେ ଭିଡିଓ ସୁଟିଂ କରୁଛନ୍ତି, ସେଲ୍ଫି ନେଉଛନ୍ତି। ଫଳରେ ଯିବା ଆସିବା ରାସ୍ତା ବ୍ଲକ୍ ହେଉଛି ଏବଂ ଅଯଥାରେ ଭିଡ଼ ସୃଷ୍ଟି ହେଉଛି ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି।

ରାଜ୍ୟର ସର୍ବୋଚ୍ଚ ପୁଲିସ ପ୍ରଶାସକଙ୍କର ଏହି ବୟାନ୍ ସମସ୍ତଙ୍କ ପାଇଁ ବଡ଼ ସତର୍କ ବାଣି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ହେଉ ଅବା ଗାଁ, ସାହିରେ ଚାଲିଥିବା ସରସ୍ବତୀ ପୂଜା, ସବୁଠି ଇଶ୍ବରଙ୍କ ସମ୍ମୁଖରେ ମାଳ ମାଳ ମୋବାଇଲ୍‌ ଫୋନ୍। ଠାକୁରଙ୍କ ଫଟୋ ଉଠାଯାଉଛି, ସେଲ୍ଫି ନେବା ପାଇଁ ପ୍ରତିଯୋଗିତା ଚାଲୁଛି। ଫୋନ୍ ଗ୍ୟାଲେରୀକୁ ଯାଇ ସେହି ଫଟୋକୁ ପରେ କେବେ ଦେଖନ୍ତୁ କି ନ ଦେଖନ୍ତୁ କିନ୍ତୁ ଉଠାହେବା ଟା ସୁନିଶ୍ଚିତ। ଗତ ୫/୬ ବର୍ଷ ହେଲା ଏପରି ଫଟୋ ଉଠା ମାନସିକତା ସମସ୍ତଙ୍କୁ ବେଶ୍ ଗ୍ରାସ କରିଛି। ପିଲା ହୁଅନ୍ତୁ କି ବୁଢ଼ା କେହି ବି ଏହି ଫଟୋ ଉଠା ମାୟାରୁ ବାଦ୍ ପଡୁ ନାହାନ୍ତି। ଯେଉଁଠି ଶରଧା ବାଲିରେ ରଥାରୁଢ଼ ମହାପ୍ରଭୂଙ୍କ ଆଗରେ ଭକ୍ତଗଣ ସମର୍ପଣ ଭାବ ନେଇ ଦୁଇ ହାତ ଟେକି ଦେଉଥିଲେ, ଆଜି ସେହି ହାତର ସ୍ଥାନ ନେଇଛି ମୋବାଇଲ୍‌ ଫୋନ୍। ମହାପ୍ରଭୂଙ୍କୁ ଶ୍ରଦ୍ଧାଳୁଙ୍କ ହାତ ବଦଳରେ ଖାଲି ଦେଖାଯାଉଛି ମୋବାଇଲ୍‌ କ୍ୟାମେରା। ନିଜର ଗୌରବମୟ ପରମ୍ପରା, ସଂସ୍କୃତି ଠାରୁ ଦୂରେଇ ମୋବାଇଲ୍ ଫୋନ୍ ସଂସ୍କୃତିରେ ପଡିଛନ୍ତି ସମସ୍ତେ।

Leave a Reply

Your email address will not be published. Required fields are marked *