‘ପ୍ରାୟ ୩୫ କୋଟି ଭାରତୀୟଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି’
ନୂଆଦିଲ୍ଲୀ :-ଦେଶର ଜନସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ପୂର୍ବରୁ କରୋନା ସଂକ୍ରମିତ ହୋଇସାରିଛନ୍ତି । ଅର୍ଥାତ୍ ଦେଶର ପ୍ରତି ୪ ଜଣରୁ ଜଣେ ପୂର୍ବରୁ କରୋନା ସଂକ୍ରମିତ ହୋଇସାରିଛନ୍ତି । ୨୬ ପ୍ରତିଶତ ଅର୍ଥାତ୍ ୩୫ କୋଟି ଭାରତୀୟଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହୋଇସାରିଛି ।
ଥାଇରୋକେୟାର ଲ୍ୟାବର ଏମଡି ଡ. ଏ ଭେଲୁମଣି କହିଛନ୍ତି କି, ତାଙ୍କ ସଂସ୍ଥା ୨.୭ ଲକ୍ଷ ଲୋକଙ୍କୁ ନେଇ ଏକ ସେରୋ ସର୍ଭେ କରିଥିଲା ଯେଉଁଥିରେ ଜଣାପଡିଲା କି ୨୬ପ୍ରତିଶତ ଭାରତୀୟ ପୂର୍ବରୁ କରୋନା ରୋଗୀଙ୍କ ସମ୍ପର୍କରେ ଆସିସାରିଛନ୍ତି । ଏହି ରିପୋର୍ଟରୁ ଜଣାପଡୁଛି କି ପ୍ରତି ୪ ଜଣରେ ଜଣେ ଏହି ଭାଇରସରେ ସଂକ୍ରମିତ ହୋଇସାରିଛି ଏବଂ ଭଲ ମଧ୍ୟ ହୋଇସାରିଛି । ଜୁଲାଇରେ ଏହି ରିପୋର୍ଟ ୧୫ ପ୍ରତିଶତ ଥିଲା । ଅବଶ୍ୟ ସେତେବେଳେ ୫୩ ହଜାର ସାମ୍ପଲକୁ ନେଇ ପରୀକ୍ଷଣ କରାଯାଇଥିଲା । ଏହି ରିପୋର୍ଟ ଏହା ମଧ୍ୟ ଇଙ୍ଗିତ କରୁଛି କି ଆମେ ସମସ୍ତେ ସମୁହ ଆଣ୍ଟିବଡି ସହ ଏହି ଭାଇରସ ବିରୁଦ୍ଧରେ ଲଢେଇ କରୁଛନ୍ତି । ଏହି ଆଣ୍ଟିବଡି ସବୁ ପ୍ରକାର ବୟସ ଗୋଷ୍ଠୀ ଅର୍ଥାତ୍ ଶିଶୁ, ବୟସ୍କ ଏବଂ ବୃଦ୍ଧଙ୍କ ଶରୀରରେ ପ୍ରସ୍ତୁତ ହୋଇପାରେ ।
ଦେଶରେ ବର୍ତ୍ତମାନ କରୋନାରୁ ସୁସ୍ଥ ହେଉଥିବା ତାଲିକାକୁ ଦେଖିଲେ ଜଣାପଡୁଛି ଯେ ୪୦ ପ୍ରତିଶତ ଲୋକଙ୍କ ଶରୀରରେ ଏହି ଭାଇରସର ଆଣ୍ଟିବଡି ପ୍ରସ୍ତୁତ ହୋଇସାରିଲାଣି । ଏହା ଏକ ଭଲ ଖବର । ଯେତେ ଜଣ ଶୀଘ୍ର ସଂକ୍ରମିତ ହେଉଛନ୍ତି ସେମାନଙ୍କ ଭିତରୁ କିଛି ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଉଛନ୍ତି । ଡିସେମ୍ବର ସୁଦ୍ଧା ଏହା ୪୦ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି । ଯେଉଁ ମାନଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ନାହିଁ କିମ୍ବା ଆଣ୍ଟିବଡ ଗଠନ ହୋଇପାରିନି ସେମାନେ ଭ୍ୟାକସିନ୍ ଆସିଲେ ମଧ୍ୟ ଭଲ ହୋଇପାରିବେ । ଖାଲି ସେତିକି ନୁହେଁ, ଯେଉଁ ଶରୀରରେ ଆଣ୍ଟିବଡି ଗଠନ ହୋଇଛି ସେମାନେ ଅନ୍ୟ ଉପାୟରେ ମଧ୍ୟ ସମାଜ ପାଇଁ ଲାଭଦାୟକ ହୋଇପାରିବେ । ଅର୍ଥାତ୍ ସେମାନେ ପ୍ଲାଜମା ଦାନ କରି ଏହି ରୋଗର ନିରାକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।