୧୨ରୁ ଏକକ ପିଜି ପ୍ରବେଶିକା ଆବେଦନ : ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ପରୀକ୍ଷା,

ଭୁବନେଶ୍ୱର,:– ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବା କମନ୍‌ ପୋଷ୍ଟ ଗ୍ରାଜୁଏସନ ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ଅନୁଷ୍ଠିତ ହେବ । କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ବିଭାଗର ପିଜି ସିଟ୍‌ଗୁଡିକ ପୂରଣ କରିବା ପାଇଁ ଏହି ଏକକ ପ୍ରବେଶିକା ପରୀକ୍ଷା ହେବ । ତେବେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ଆଉ ପୂର୍ବଭଳି ନିଜର ପିଜି ସିଟ୍‌ ପୂରଣ ପାଇଁ ଆଉ ପୃଥକ ପୃଥକ ଭାବେ ନାମଲେଖା ପ୍ରକ୍ରିୟା ପରିଚାଳନା କରିବେ ନାହିଁ । ଏହି ଏକକ ପିଜି ପ୍ରବେଶିକା ପରୀକ୍ଷାରୁ ଛାତ୍ର ଗ୍ରହଣ କରିବେ ।

ଆସନ୍ତା ୧୨ ତାରିଖ ଅପରାହ୍‌ଣ ୨ଟାରୁ ଏ ବାବଦରେ ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଆବେଦନ କରିପାରିବେ। www.dheodisha.gov.in ରେ ଏକକ ପିଜି ପ୍ରବେଶିକା ପରୀକ୍ଷାର ପୁସ୍ତିକା ବା କମନ୍‌ ପ୍ରସ୍ପେକ୍ଟସ୍‌ ରହିଛି ।

ଚଳିତ ମାସ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏକକ ପିଜି ପ୍ରବେଶିକା ପାଇଁ ଆବେଦନ କରିପାରିବେ । ଏକକ ପିଜି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖରେ ସରିବ। ଅକ୍ଟୋବର ୧୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସ୍ନାତକ ବା ଗ୍ରାଜୁଏସନ୍‌ ମାର୍କ ଅପଡେଟ୍‌ କରିହେବ । ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେଶନ୍‌ ସେଣ୍ଟର୍‌ ବା ଓକାକ୍‌ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବ । ପରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର୍‌ ଓ ପ୍ରବେଶିକା ମାର୍କକୁ ମିଶାଇ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ ହେବ । ଯାହା ଅକ୍ଟୋବର ୨୫ ତାରିଖରେ ବାହାରିବ ।

ନଭେମ୍ବର ୨୦ ସୁଦ୍ଧା ପିଜି ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ନାମଲେଖା ପ୍ରକ୍ରିୟା ସରିବ । ଏ ବାବଦରେ ଅଧିକ ଜାଣିବା ପାଇଁ ଇ-ଆଡମିଶନ୍‌ର ‘ସଂଯୋଗ’ ହେଲ୍ପଲାଇନ୍‌ ୧୫୫୩୩୫ କିମ୍ବା ୧୮୦୦-୩୪୫- ୬୭୭୦ରେ ଯୋଗାଯୋଗ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *