ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର:–ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। ବିସ୍ତୃତ ଅଞ୍ଚଳରେ ବର୍ଷିଲାନି ଲଘୁଚାପ। ଖୁବ୍ ଅଳ୍ପ ସମୟ ଭିତରେ ଲଘୁଚାପ ଓଡ଼ିଶା ଡେଇଁ ମଧ୍ୟପ୍ରଦେଶ ପଳାଇଲା । ତେବେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୩ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି।
ପାଣିପାଗ ବିଭାଗ କହିଛି, ରବିବାର ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ସୋମବାର ଆଉ ନଥିଲା । ଓଡ଼ିଶା ଡେଇଁ ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଯାଇଛି । ତେଣୁ ଓଡ଼ିଶାରେ ଯେଉଁଭଳି ବର୍ଷା ଆଶା ବା ଆଶଙ୍କା କରାଯାଉଥିଲା, ସେଭଳି ବର୍ଷା ହେଲାନି କିମ୍ବା ସମ୍ଭାବନା ବି ଦିଶୁନାହିଁ ।
ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ରହିଛି । ରାଜ୍ୟରେ ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ହେବନାହିଁ । କେତେକ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ମାତ୍ର ପ୍ରବଳରୁ ପ୍ରବଳତର କିମ୍ବା ଅତି ପ୍ରବଳ ବର୍ଷା ସମ୍ଭାବନା ନାହିଁ ।
ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରିରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୨ ତାରିଖରେ ବି ରାଜ୍ୟର ଅନେକ ସ୍ଥାନରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ଯାଜୁପରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।