କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ
ୱଲିଂଟନ;-ସାରା ଦୁନିଆରେ କରୋନା ମାମଲା ବଢି ବଢି ଚାଲିଥିବାବେଳେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି | ଗତ ୧୦୦ ଦିନ ହେଲା ନ୍ୟୁଜିଲ୍ୟାଣ୍ଡରୁ ଗୋଟିଏ ମଧ୍ୟ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ | ଏହି ଅବସରରେ ରବିବାର ଦିନ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଅକଲ୍ୟାଣ୍ଡ ରାଧା କୃଷ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ | ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ବ୍ୟଞ୍ଜନ ପୁରୀ, ଛୋଲେ ଓ ଡାଲି ଖାଇଥିଲେ | ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେ ଜୋତା ଖୋଲି ନିୟମ ଅନୁଯାୟୀ ଆଳତି କରିଥିଲେ |ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କ ମନ୍ଦିର ଦର୍ଶନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହାର ଭିଡିଓ ରାଧା କୃଷ୍ଣ ମନ୍ଦିର ଅଫିସିଆଲ ଫେସବୁକ ପେଜ ସେୟାର କରିଛି | ନ୍ୟୁଜିଲ୍ୟାଣ୍ଡକୁ କରୋନା ମୁକ୍ତ ହେବାରେ ୧୦୦ ଦିନ ହୋଇସାରିଛି | ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ ଜନଜୀବନ ପୂର୍ବ ଭଳି ଚାଲିଛି | ସାମାନ୍ୟ ସାବଧାନତା ସହ କଡା ପ୍ରତିବନ୍ଧ ଲାଗୁ ହୋଇନାହିଁ | ଏଠାରେ ଲୋକେ ଅନୁଶାସନ ପାଳନ କରିଥିବା ଦେଖିବାକୁ ମିଳିଛି |ମାର୍ଚ୍ଚ ଶେଷ ଆଡକୁ ନ୍ୟୁଜିଲ୍ୟାଣ୍ଡରେ କଡାକଡି ଭାବେ ଲକଡାଉନ ଲାଗୁ କରାଯାଇଥିଲା | କେବଳ ୧୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ନ୍ୟୁଜିଲ୍ୟାଣ୍ଡରେ ଏହି ପଦକ୍ଷେପ ନିଆଯାଇଥିଲା ଏବଂ ଲକଡାଉନ ପାଳନ କରାଯାଇଥିଲା | ଦେଶରେ ଫ୍ରି କରୋନା ଟେଷ୍ଟ ଓ ଚିକିତ୍ସା ମଧ୍ୟ କରାଯାଇଥିଲା | ପାଖାପାଖି ୧୦୦ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଦେଶକୁ କରୋନା ମୁକ୍ତ ହେବାକୁ ଘୋଷଣା କରିଥିଲେ | କରୋନା ମୁକ୍ତ ହେବାପରେ ସେ ରାଧା କୃଷ୍ଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ |