ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା କେକେ ସିଂହ ସିଧାସଳଖ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଛନ୍ତି। ଏଥିସହ ରିୟାଙ୍କ ନାଁରେ ସେ ପାଟନାରେ ଏତଲା ମଧ୍ୟ ଦେଇଛନ୍ତି।

ରିୟା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ମୁମ୍ବାଇ ବଦଳି କରି ଆଣିବାକୁ କହିଛନ୍ତି। ଆସନ୍ତା ୧୧ ତାରିଖରେ ଏହାର ଶୁଣାଣି ହେବ। କିନ୍ତୁ ଏହା ପୂର୍ବରୁ ସୁଶାନ୍ତ ବାପା ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛନ୍ତି। ସେ ରିୟାଙ୍କ ଆବେଦନକୁ ବିରୋଧ କରି କୋର୍ଟରେ କାଉଣ୍ଟର ସତ୍ୟପାଠ ଦାଖଲ କରିଛନ୍ତି।

ସେ ଆବେଦନରେ କହିଛନ୍ତି ଯେ ମୁଁ ଦେଇଥିବା ଏତଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରି ଦିଆଯାଇଛି। ତେଣୁ ଏଭଳି ସ୍ଥିତିରେ ମାମଲାର ତଦନ୍ତ ଦାୟିତ୍ୱ ବିହାରରୁ ମୁମ୍ବାଇକୁ ବଦଳି କରିବା ପାଇଁ ରିୟା କରିଥିବା ଆବେଦନ ସଂପୂର୍ଣ୍ଣ ଭାବେ ଅମୂଳକ।

ରିୟାଙ୍କ ଆବେଦନ ଉପରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କେକେ ସିଂହଙ୍କୁ ୩ ଦିନ ସମୟରେ ଦେଇଥିଲେ। ଏବେ କେକେ ସିଂହ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ରିୟା ଘଟଣାର ମୁଖ୍ୟ ସାକ୍ଷୀ ସିଦ୍ଧାର୍ଥ ପିଠାନୀଙ୍କୁ ପ୍ରଲୋଭିତ କରିବା ଆରମ୍ଭ କରିଛନ୍ତି। ସିଦ୍ଧାର୍ଥ ପଠାନୀ ମୁମ୍ବାଇ ପୁଲିସ୍‌କୁ ଇମେଲ ଯୋଗେ ବିହାର ପୁଲିସ୍‌ର ନିଷ୍କ୍ରିୟତା ସମ୍ପର୍କରେ କହିଥିଲେ।

ହେଲେ ଏହା କେମିତି ରିୟାଙ୍କ ପାଖରେ ପହଞ୍ଚିଲା? ରିୟାଙ୍କ ବିରୋଧରେ ବିହାର ପୁଲିସ୍‌ ଏଫଆଇଆର ରୁଜୁ କରିବା ପରେ ହିଁ ସିଦ୍ଧାର୍ଥ ମୁମ୍ବାଇ ପୁଲିସ୍‌କୁ ଇ-ମେଲ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହାର ବିଚାର କରିବା ଦରକାର ବୋଲି କେକେ ସିଂହ ନିଜ ଆବେଦନରେ କହିଛନ୍ତି।

ଅନ୍ୟପକ୍ଷରେ ରିୟାଙ୍କ ବିରୋଧରେ ଆସିଥିବା ୧୫ କୋଟି ଟଙ୍କାର ହେରଫେର ଅଭିଯୋଗର ଖୋଳତାଡ଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାରି ରଖିଛି। ଗତକାଲି ଇଡି ରିୟାଙ୍କୁ ଦୀର୍ଘ ୮ ଘଣ୍ଟାକାଳ ଜେରା କରିଥିଲା। ଆଜି ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଇଡିରେ ହାଜର ହୋଇଛନ୍ତି।

Leave a Reply

Your email address will not be published. Required fields are marked *