ତାଳଚେର ପୋଲିସ ହାତରେ ସୁନ୍ଦରୀ ୪୨୦, ପ୍ରେମ ଜାଲରେ ଫସାଇ ଲୁଟୁଥିଲେ

ତାଳଚେର: ତାଳଚେର ପୋଲିସ୍ ଗିରଫ କରିଛି ଏମିତି ଜଣେ ସୁନ୍ଦରୀ ୪୨୦ଙ୍କୁ ଯିଏ ନିଜ ରୂପ ଜାଲ ଓ ମିଠା କଥାରେ ଫଶେଇ ଲୁଟୁଥିଲେ ଟଙ୍କା । ମିଠା ମିଠା କଥା କହି ସେ ଏକାଧିକ ଲୋକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା । ଠିକଣା ପରିଚୟ ବଦଳାଇ ସେ ଲୋକଙ୍କୁ ଲଗାଇଛନ୍ତି ଚୁନା । ସିରିଜ୍ ଠକେଇ ପରେ ଦୀପା ଓରଫ ସୁପ୍ରିୟା ସ୍ଵାଇଁଙ୍କୁ ଗିରଫ କରିଛି ତାଳଚେର ପୋଲିସ । ଆଉ ଖୋଳିବାକୁ ଚେଷ୍ଟା କରୁଛି ତାଙ୍କ ଠକେଇର ଗୁମରକୁ ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ତାଳଚେର ଅଚଂଳରେ ଜଣେ ପରେ ଜଣେ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆଖି ପିଛୁଳାକେ ଖାଲି କରି ଦେଉଥିଲେ ଦୀପା ସାହୁ । ଏବେ ସେ ପୋଲିସ୍ କବ୍‌ଜାରେ । ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନଙ୍କୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟର ପରିଚୟ ଦେଇ ଆରମ୍ଭ କରିଥିଲେ ଲୁଟ୍‌ର ଅଭିଯାନ । ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଉଠାଇ ନେଇଥିଲେ । ତେବେ ଡାକ୍ତରଙ୍କ ଏତଲା ପରେ ସାମ୍ନାକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଘଟଣା । ଦୀପାଙ୍କ ରୂପ ଓ ସୁନ୍ଦର କଥାର ଜାଲରେ ଫସି ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ତାଲିକା ବଢିବାରେ ଲାଗିଛି । କାହାଠାରୁ ୧୨ଲକ୍ଷ ତ କାହା ଠାରୁ ୨୫ଲକ୍ଷ ଲୁଟି ନେଇଛନ୍ତି ଦୀପା ।

ଦୀପାଙ୍କ ବିରୋଧରେ ଏବେ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ କରିଛି । ତେବେ ଡାକ୍ତର ବିଜୟ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ତାଳଚେର ପୋଲିସ ଘଟଣାର ତଦନ୍ତ କରିବା ସହ ଠକେଇ ଅଭିଯୋଗରେ ସୁପ୍ରିୟାକୁ ୪୨୦ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *