ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ଯୁବକଙ୍କ ମୃତଦେହ ଉଦ୍ଧାର,

ଦେବଗଡ:- ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଥିବାବେଳେ ଗୁରୁତର ମହିଳାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

ଦେବଗଡ ଜିଲ୍ଲା ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେଶ ମାଝୀ କେନ୍ଦୁଝରରେ ଚାକିରି କରନ୍ତି । ଗ୍ରାମରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଭାଟସିଂ ଗ୍ରାମର ଧରଣୀ ନାଏକଙ୍କ ପୁଅ ସୁମନ୍ତ ନାଏକ ନରେଶଙ୍କ ସ୍ତ୍ରୀ ରହୁଥିବା କୋଠରୀରେ ପଶିଥିଲେ । ଲକ୍ଷ୍ମୀଙ୍କ ଶାଶୂ ଏହା ଜାଣିପାରି ପରିବାର ସଦସ୍ୟମାନଙ୍କୁ କହିଥିଲେ । ପରେ ନରେଶଙ୍କ ୨ ଭାଇ ଓ ବାପା ଉକ୍ତ କୋଠରୀରେ ଉଭୟଙ୍କୁ ଦେଖିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଧସ୍ତାଧସ୍ତି ହୋଇଥିଲା ।

ତେବେ ଶନିବାର ସକାଳେ ଉକ୍ତ କୋଠରୀ ଖଟ ଉପରେ ସୁମନ୍ତଙ୍କ ମୃତଦେହ ପଡିଥିବାବେଳେ ମହିଳାଙ୍କ ବାମ ହାତର ଶିରା କଟି ଅଚେତ୍ ହୋଇଥିବା ଦେଖିବାକୁ ମିଳିଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଗୌଡସୁଗୁଡା ସରପଞ୍ଚ ବାରକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ । ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଚେତ୍ ଅବସ୍ଥାରେ ଥିବା ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେହିପରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *