କ୍ଲୋରୋକ୍ୱିନ ଖାଇବା ନେଇ ଆସିଲା ନୂଆ ଗାଇଡଲାଇନ

ପାଟନା:-କରୋନାର ସଂକ୍ରମଣ ରୋକିବାକୁ ପ୍ରତିଷେଧକ ଔଷଧ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍ । ଦେଶରେ ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା- ଆଇସିଏମଆରର ସୁପାରିଶ କ୍ରମେ ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି । କହିବାକୁ ଗଲେ ପ୍ରତିଷେଧକ ଔଷଧ ସେବନର ପରିସୀମାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି । ଏବେ ନଜର ପକାନ୍ତୁ ନୂଆ ଗାଇଡଲାଇନ ଅନୁସାରେ ପ୍ରତିଷେଧକ ଔଷଧ ଭାବରେ କେଉଁମାନେ ଖାଇ ପାରିବେ ଏହି କ୍ଲୋରୋକୁଇନ ବଟିକା ।

– କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା କିନ୍ତୁ କରୋନାର କୌଣସି ଲକ୍ଷଣ ନଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

– ଅଣ କୋଭିଡ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

– କରୋନା ସଂକ୍ରମିତ ଅଂଚଳରେ କାମ କରୁଥିବା ପୋଲିସ ଓ ଅର୍ଦ୍ଧସମାରିକ ବଳର କର୍ମଚାରୀ

– କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସୁଥିବା କିନ୍ତୁ କରୋନା ଲକ୍ଷଣ ନଥିବା ପରିବାର ସଦସ୍ୟ

ବଡ କଥା ହେଉଛି ଚିକିତ୍ସା ବିଜ୍ଞାନ ସଂପର୍କିତ ଏକ ପ୍ରତିଷ୍ଠିତ ପତ୍ରିକା ଲାନସେଟ ଅନୁସାରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ଖାଇଲେ କରୋନାର ସଂକ୍ରମଣକୁ ରୋକିପାରିବା ନେଇ ସେମିତି କୌଣସି ପ୍ରମାଣ ସିଦ୍ଧ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ପ୍ରତିଷେଧକ ଔଷଧ ଖାଇଲେ କରୋନା ସଂକ୍ରମଣକୁ ରୋକିହେବ ବୋଲି ସ୍ପଷ୍ଟ କରିନାହିଁ । ତଥାପି ଆଇସିଏମଆରର ସୁପାରିଶ ଆଧାରରେ କ୍ଲୋରୋକୁଇନ ସେବନର ପରିସୀମାକୁ ବୃଦ୍ଧି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Leave a Reply

Your email address will not be published. Required fields are marked *