ସଂଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କ ଉପରେ ଗାଁ ଲୋକଙ୍କ ରୋଷ,ଗଛରେ ବାନ୍ଧି ଶିକ୍ଷକଙ୍କୁ ନିସ୍ତୁକ ମାଡ
ଗଞ୍ଜାମ:-ସଙ୍ଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କୁ ବାନ୍ଧି ପକାଇଲେ ଗାଁ ଲୋକ । ଗଛରେ ବାନ୍ଧିବା ସହ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ଏଭଳି ଅଭାବନୀୟ ଖବର ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ । ଯେତେବେଳେ ସୁରତ ଫେରନ୍ତା ଯୁବକଙ୍କୁ କାହିଁକି ଗାଁ ପାଖ ସଂଗରୋଧ କେନ୍ଦ୍ରରେ ରଖିଲେ ବୋଲି ପ୍ରଶ୍ନ କରି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପରେ ଏଭଳି ଅମାନବୀୟ ଆକ୍ରମଣ କରିଛନ୍ତି ଗାଁ ଲେକ ।ପୁରା ଘଟଣା ଥିଲା କିଛି ଏହିଭଳି । ସୁରତ ଫେରନ୍ତା ୬ ଜଣ ଯୁବକଙ୍କୁ ଗାଁ ଭିତରେ ପ୍ରବେଶ କରୁଥିବା ଦେଖି ଅଟକାଇଥିଲେ ସରପଂଚ । ସେମାନଙ୍କୁ ନେଇ ସରକାରୀ ସଂଗରୋଧ କେନ୍ଦ୍ରରେ ରଖାଇଥିଲେ । ସରପଂଚଙ୍କଠାରୁ ଲିଖିତ ଚିଠି ପାଇଁ ଏଥିପାଇଁ ବନ୍ଦୋବସ୍ତ କରିଥିଲେ ଗାଁର ଶିକ୍ଷକ । ହେଲେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ସୁରତ ଫେରନ୍ତାଙ୍କ ସଂପର୍କୀୟ ସଙ୍ଗରୋଧ କେନ୍ଦ୍ରରେ ଯାଇ ଘରେ ରନ୍ଧା ଖାଦ୍ୟ ଦେବା ସହ ମିଳାମିଶା କରୁଥିବାରୁ କରୋନା ସଂକ୍ରମଣ ଭୟରେ ଗାଁ ଲୋକ ଏହି ସରକାରୀ ସ୍କୁଲରେ ତାଲା ପକାଇ ଦେଇଥିଲେ ।ସ୍କୁଲର ପ୍ରଧାନ ଶିକ୍ଷକ ଆସି ଦେଖିଲା ବେଳକୁ ସ୍କୁଲରେ ଅଲଗା ତାଲା ପଡିଥିଲା । ଶିକ୍ଷକ ଜଣକ ଏନେଇ ପଚରାଉଚରା କରିବାରୁ ଉତକ୍ଷିପ୍ତ ହୋଇପଡିଥିଲେ ଗାଁର କିଛି ଯୁବକ । କାହାକୁ ପଚାରି ଗାଁରେ ଏହି ସଂଗରୋଧ କେନ୍ଦ୍ର ଖୋଲାଗଲା ଓ ଏମାନଙ୍କୁ କାହିଁକି ଏଠାରେ ରଖାଗଲା କହି ଶିକ୍ଷକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇଁ ସରପଂଚଙ୍କ ସହ ସ୍ଥାନୀୟ ବିଡିଓ ଏବଂ ପୋଲିସ ପହଂଚି ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି ।










