ଚୀନ୍, ପାକ୍କୁ ପୁଣି ଜାତିସଂଘ ଝଟ୍କା : କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଆମେରିକା
ନୂଆଦିଲ୍ଲୀ :-ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ପାକ୍ ଓ ଚୀନ୍ ଯୋଜନା କରିଥିଲେ । ମାତ୍ର ତାହା ବିଫଳ ହୋଇଛି । ଚୀନ୍ର ଉଦ୍ୟମ କ୍ରମେ ସୁରକ୍ଷା ପରିଷଦର ଏକ ଅଣଆନୁଷ୍ଠାନିକ ବୈଠକ ବି ଡକାଯାଇଥିଲା । ହେଲେ କେବଳ ଗୋଟିଏ ଅସ୍ଥାୟୀ ସଦସ୍ୟକୁ ଛାଡି ବାକି ସମସ୍ତ ଦେଶ ଉକ୍ତ ପ୍ରସ୍ତାବର ବିରୋଧ କରିଥିଲେ । ଆମେରିକା ପ୍ରଥମେ ଏହାକୁ ବିରୋଧ କରିଥିଲା । ଏହା ଭାରତ ଓ ପାକିସ୍ତାନ ଭିତରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ସିମଲା ରାଜିନାମା ଅନୁଯାୟୀ ଏହାର ସମାଧାନ କରାଯିବା ଦରକାର ବୋଲି ଆମେରିକା କହିଥିଲା ।
ଅନ୍ୟ ଦେଶମାନେ ଏହାକୁ ସମର୍ଥନ କରିଥିଲେ । ଏହି ପ୍ରସଙ୍ଗରେ ସୁରକ୍ଷା ପରିଷଦର ସମୟ ନଷ୍ଟ କରାଯିବା ଦରକାର ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ସମ୍ପର୍କରେ ଚୀନ୍ ଦେଇଥିବା ବୟାନକୁ ଭାରତ ଭର୍ତ୍ସନା କରିଛି । ଚୀନ୍ କହିଥିଲା ଯେ ଭାରତ ଧାରା ୩୭୦ ପ୍ରତ୍ୟାହାର କରିବା ପାଇଁ ଏକତରଫା ଭାବେ ନେଇଥିବା ପଦକ୍ଷେପ ବେଆଇନ ଅଟେ । ଏହାର ଜବାବରେ ଭାରତର ବିଦେଶ ମନ୍ତ୍ରଣାଳୟ କହିଛି କି ଏହି ପ୍ରସଙ୍ଗରେ ମତ ଦେବା ପାଇଁ ଚୀନ୍ର କୌଣସି ଅଧିକାର ନାହିଁ । ତା’ଛଡା ପାକିସ୍ତାନ ଅନ୍ୟ ଦେଶଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ବନ୍ଦ କରୁ ।