କେରଳ କାରୀପୁର ଏୟାପୋର୍ଟରେ ବିମାନ ଦୁର୍ଘଟଣା ,16 ମୃତ, 123 ଆହତ
କାରୀପୁର:- ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନୱେରୁ ସ୍ଲିପ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଫଳରେ ବିମାନର ଜଣେ ପାଇଲଟଙ୍କ ସମେତ ମୋଟ ୧୬ଜଣ ପ୍ରାଣ ହରାଇଛନ୍ତି।ଦୁର୍ଘଟଣାରେ ୧୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ରିମସ୍ ଓ ମର୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ଲାଇଟ୍ ସଂଖ୍ୟା ଆଇଏକ୍ସ-୧୩୪୪ରେ ଦୁଇ ପାଇଲଟ୍, ୬ ଚାଳକ ଦଳ ସଦସ୍ୟ ଓ ୧୦ ଶିଶୁଙ୍କ ସମେତ ମୋଟ ୧୮୪ ଜଣ ଯାତ୍ରୀ ଥିଲେ। ବିମାନଟି ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍ରେ ଉଡାଣ କରିଥିବା ବେଳେ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ କୋଝିକୋଡ ପହଞ୍ଚିଥିଲା। ତେବେ ଭୀଷଣ ବର୍ଷାଯୋଗୁ ରନ୍ୱେ ପିଛିଳ ଥିବାରୁ ବିମାନଟି ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଖସଡି ଯାଇ ଦୁଇ ଖଣ୍ଡ ହୋଇଯାଇଛି।ବିମାନରେ ନିଆଁ ଲାଗି ନଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଘଟଣାସ୍ଥଳରେ ରହି ଉଦ୍ଧାର ପରିଚାଳନା କରୁଥିବା ଏନଡିଆରଏଫ ଡିଜି କହିଛନ୍ତି। ବିମାନ ବନ୍ଦର ଏକ ପାହାଡ ଉପରେ ଅବସ୍ଥିତ ଥିବାରୁ ଏଠାରେ ବିମାନ ଟେବୁଲ ଟପ୍ ଅବତରଣ କରିଥାଏ। ଏଣୁ ବିମାନର ବେଗ ଅଧିକ ରହିବା ସ୍ୱଭାବିକ । ଯଦି ବିମାନରେ ନିଆଁ ଧରିଯାଇଥାନ୍ତା ତେବେ ଅକଳ୍ପନୀୟ କ୍ଷୟକ୍ଷତି ହୋଇଥାନ୍ତା ବୋଲି କହିଛନ୍ତି ଡିଜି। ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ୦୪୯୫-୨୩୭୬୯୦୧ ନମ୍ବରରେ ଫୋନ କରି ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇପାରିବ ବୋଲି କୋଝିକୋଡ ଜିଲ୍ଲାପାଳ କହିଛନ୍ତି। ଏହା ବ୍ୟତୀତ ୦୫୬୫୪୬୩୯୦୩, ୦୫୪୩୦୯୦୫୭୨ ଓ ୦୫୪୩୦୯୦୫୭୫ ନମ୍ବରରେ କଲ କରି ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ।ମାନ ଦୁର୍ଘଟଣା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଥିବା ବେଳେ ମୃତ ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ଶୋକ ବ୍ୟକ୍ତ କରିଛନ୍ତି। ଘଟଣା ନେଇ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କ ଉଦ୍ଦାର ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ କଥା ହୋଇଛନ୍ତି। ଦୁର୍ଘଟଣାରେ ବିମାନର ସମ୍ମୁଖ ଭାଗରେ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ରିମସ୍ ଓ ନିକଟସ୍ଥ ମର୍ସି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।