ସୁଶାନ୍ତ ସିଂହ ରାଜପୁତ ଏବଂ ଦିଶା ସାଲିୟନ କରିନାହାନ୍ତି ଆତ୍ମହତ୍ୟା : ଯୋଜନାବଦ୍ଧ ଭାବେ ସେମାନଙ୍କୁ କରାଯାଇଛି ହତ୍ୟା: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ:- ବିଜେପି ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ,ସୁଶାନ୍ତ ସିଂହ ରାଜପୁତ ଏବଂ ଦିଶା ସାଲିୟନ ମାମଲାରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କର ହତ୍ୟା ହୋଇଛି। ଏହା ବ୍ୟତୀତ ଦିଶାଙ୍କ ବିଷୟରେ କହିଛନ୍ତି ଯେ ଦିଶା ମଧ୍ୟ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ମଧ୍ୟ ହତ୍ୟା କରାଯାଇଛି।ସେ ସାକ୍ଷାତକାରରେ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିଲେ। ସେ ନିଜ ଫୋନ୍ ବନ୍ଦ କରି ଦେଇଥିଲେ। ସେ ଏହି ମାମଲାର ଅଭିଯୁକ୍ତ ଏବଂ ଏବେ ସେ ଫେରାର ଅଛନ୍ତି। ପୋଲିସକୁ ମଧ୍ୟ ଏବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ପ୍ରକୃତରେ କିଏ ସୁଶାନ୍ତଙ୍କୁ ଗତ ୨୦ଦିନ ହେବ ଧମକ ଦେଉଥିଲା ଯାହା କାରଣରୁ ତାଙ୍କୁ ସିମ୍ ପ୍ରତିଦିନ ବଦଳାଇବାକୁ ପଡ଼ୁଥିଲା। ଏହାର ଯାଞ୍ଚ କ’ଣ ପାଇଁ ହେଉନାହିଁ?

ସେ ଆଗକୁ କହିଥିଲେ ଯେ ଦିଶା ସାଲିୟନଙ୍କ ମୃତ୍ୟୁ ଜୁନ୍ ୮ତାରିଖରେ ହୋଇଥିଲା। ତାଙ୍କ ପୋଷ୍ଟମର୍ଟମ ଜୁନ୍ ୯ତାରିଖରେ ହୋଇଥିଲା। କ’ଣ ସେ ବି ସୁଶାନ୍ତଙ୍କ ସହ ରହୁଥିଲେ? ପୋଲିସ୍ ଏହାର ଯାଞ୍ଚ କରିଛି କି? ତାଙ୍କ ପାଖରେ ତାଙ୍କ ପୋଷ୍ଟମର୍ଟମର ସୂଚନା ରହିଛି ଯେଉଁଥିରେ କୁହାଯାଇଛି ଯେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ପୋଲିସ୍ ଏହି ମାମଲାରେ ଚୁପ୍ କାହିଁକି ରହିଛି?

ସେ କହିଛନ୍ତି ଯେ ଏପରି ଲାଗୁଛି ଯେ ଏହି ସରକାର ସେମାନଙ୍କୁ ବଞ୍ଚାଉଛି ଯେଉଁମାନେ ଏହି ମାମଲାରେ ଫସି ପାରନ୍ତି। ଏହା ଏତେ ମହତ୍ତ୍ବପୂର୍ଣ୍ଣ ମୁଦ୍ଦା ଏବଂ ଏହି ମୁଦ୍ଦାରୁ ଧ୍ୟାନ ହଟା ଯାଉଛି। କେତେକ ଲୋକଙ୍କ ଭଳି ତାଙ୍କୁ ମଧ୍ୟ ଲାଗୁଛି ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ୫୦ଦିନ ବିତି ସାରିଲାଣି ଏବଂ ମୁମ୍ବାଇର ବିଶ୍ବ ପ୍ରସିଦ୍ଧ ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ପ୍ରକୃତ ଦୋଷୀକୁ ଖୋଜି ପାରିନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଶ୍ବାସର ସହ କହିପାରିବେ ଏହି ମାମଲାରେ ପ୍ରଭାବଶାଳୀ ଲୋକେ କାହାକୁ ନା କାହାକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ସୂରଜ ପାଞ୍ଚୋଲିଙ୍କ ଘରେ ଜୁନ୍ ୧୩ତାରିଖରେ ପାର୍ଟି ହୋଇଥିଲା,ଏହି ମାମଲାରେ କାହିଁକି ପଚରାଉଚୁରା ହେଉନାହିଁ। ମୁମ୍ବାଇ ପୋଲିସ୍ ଏହି ମାମଲାରେ ନ୍ୟାୟ ଦେଇ ପାରୁ ନାହିଁ। ମୁମ୍ବାଇ ପୋଲିସ୍ କମିଶନର ଏତେ ରାଗିଛନ୍ତି କ’ଣ ପାଇଁ? ବିଏମସି ବିହାରର ଆଇପିଏସ୍ ଅଫିସରଙ୍କୁ କ୍ବାରେଣ୍ଟାଇନ୍ କ’ଣ ପାଇଁ କରିଛନ୍ତି?

Leave a Reply

Your email address will not be published. Required fields are marked *