ଜାତୀୟ ରାଜପଥ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା,କରେଣ୍ଟ ଲାଗି ପୁଣି ଜଣେ ଯୁବକ ଗୁରୁତର

ଭୁବନେଶ୍ୱର:-ଜାତୀୟ ରାଜପଥ ରେ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା। ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଗୁରୁତର ଆହତ ହେଉଛନ୍ତି। ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି।
କିଛିଦିନ ତଳେ ୨୬ ଜୁନ ରେ ଜଣେ ଲୋକ ସେଇବାଟ ଦେଇ ରାସ୍ତା ପାର ହେଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା।
ସେତେବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା, କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖାମଖିଆଲି ଭାବେ ମରାମତି କରି ଚାଲିଯାଇଥିଲେ।
ସ୍ଥାନୀୟ ଲୋକ ଏହି ମରାମତି କାର୍ଯ୍ୟ କୁ ବିରୋଧ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଉପସ୍ଥିତ କର୍ମଚାରୀ ଙ୍କୁ ଦାବି କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ।
ଫଳ ସ୍ୱରୂପ ଗତ କାଲି ରାତିରେ ମଧ୍ୟ ଜଣେ ପଥଚାରୀ ସେଇ ସମାନ ଜାଗାରେ ବିଦ୍ୟୁତ ଆଘାତ ପାଇ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ଯାଇଛନ୍ତି।
ସ୍ଥାନୀୟ ଜନସାଧାରଣ ଙ୍କ ସୂତ୍ରରୁ ପ୍ରକାଶ କିଛିଦିନ ତଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୂଆ ଲୁହା ରେଲିଂ ଲଗାଇଥିଲେ, ଉକ୍ତ କାମ ନେଇଥିବା ଠିକାଦାର ଙ୍କ କର୍ମଚାରୀ ଙ୍କ ଦ୍ଵାରା କେଉଁଏକ ଜାଗାରେ ମେଡିଆନ ତଳେ ଯାଇଥିବା ବିଦ୍ୟୁତ କେବୁଲସହ ଏହି ଲୁହା ରେଲିଂ ସଂଯୋଗ ହୋଇଛି ଯାହା କାରଣରୁ ସନ୍ଧ୍ୟାରେ ଷ୍ଟ୍ରିଟ ଲାଇଟ ଜଳିବା ମାତ୍ରେ ଲୁହା ରେଲିଂ ଗୁଡିକ ରେ ବିଦ୍ୟୁତ ଚାର୍ଜ ହୋଇଯାଉଛି ଓ ଏ ବିଷୟରେ ଅବଗତ ନଥିବା ପଥଚାରୀ ମୃତ୍ୟୁ ମୁଖରେ ପଡୁଛି।
ଗତ କାଲି ରାତିର ଘଟଣା ମଧ୍ୟ ସ୍ଥାନୀୟ ସାମାଜିକ କର୍ମୀ ଙ୍କ ଦ୍ଵାରା ଟ୍ୱିଟ ମାଧ୍ୟମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଜଣାଯାଇ ଥିଲା ଏବଂ ଆଜି ସକାଳୁ କିଛି ବିଦ୍ୟୁତ କର୍ମଚାରୀ ଆସି ଉପର ଠାଉରିଆ ଭାବେ ସେଇଯାଗାରେ ସାଧାରଣ ମରାମତି କରି ଫେରିଯାଇଥିଲେ ଏ ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ସୁଶୀଲକାନ୍ତ ପ୍ରଧାନ, ନାରାୟଣ ପୃଷ୍ଟି ଓ ସର୍ବେଶ୍ୱର ସାହୁ ପ୍ରମୁଖ ସେମାନଙ୍କୁ ବିରୋଧ କରିଥିଲେ ଏବଂ ଏହାର ସ୍ଥାୟୀ ମରାମତି କରିବାପାଇଁ ଅନୁରୋଧ ମଧ୍ୟ କରିଥିଲେ,କିନ୍ତୁ ସେମାନେ ଏହାକୁ କର୍ଣ୍ଣପାତ କରି ନଥିଲେ।
ଏହି ଘଟଣାକ୍ରମ କୁ ଆଜି ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ସଦାଶିବ ଜେନା ପୁନର୍ବାର ଟ୍ୱିଟ ମାଧ୍ୟମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, କମିଶନରେଟ ପୋଲିସ ଏବଂ ବି ଏମ୍ ସି କୁ ଜଣାଇଛନ୍ତି ଏବଂ କହିଛନ୍ତି ପ୍ରତ୍ୟେକ ସାଧାରଣ ନାଗରିକ ର ଜୀବନ ଆମ ପାଇଁ ମୂଲ୍ୟବାନ, ଯଦି ତୁରନ୍ତ ଏହାର ସମାଧାନ ନ କରାଯାଏ ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରି ଘଟଣାର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ।

Leave a Reply

Your email address will not be published. Required fields are marked *