ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୨୨ ଡିଏସ୍‌ପି

କଟକ,:-ଲମ୍ବା ପ୍ରତୀକ୍ଷା ପରେ୨୨ଜଣ ଡିଏସ୍‌ପି ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି, ପ୍ରକାଶ କୁମାର ନାୟକ, ହରିହର ପାଣି, ଅଶୋକ ମହାନ୍ତି, ପ୍ରସନ୍ନ କୁମାର ବିଶ୍ୱାଳ, ନିମାଇଁ ଚରଣ ସେଠୀ, ମନୋରଞ୍ଜନ ସାମଲ, ଗଦାଧର ମହାପାତ୍ର, କିଶୋର ଚନ୍ଦ୍ର ପାଟ୍ଟଶାଣୀ, ଅମରେଶ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବାଉରୀବନ୍ଧୁ ବେହେରା, ବିଜୟ ମଲ୍ଲିକ୍‌, ରାମଚନ୍ଦ୍ର ଥମ୍ବ, ଉଗ୍ରସେନ୍‌ ପ୍ରଧାନ, ଅକ୍ଷୟ ମିଶ୍ର, ବେଣୁଧର ନାୟକ, ଉମାକାନ୍ତ ମଲ୍ଲିକ୍‌, ମୋହନ ପାଣି କରୁଆ, ବନମାଳୀ ଧଳ, ଅଙ୍କୁର ମଲ୍ଲିକ୍‌ ଓ କେଶବଚନ୍ଦ୍ର ବେହେରା ।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ପୁଲିସ ଜିଲ୍ଲା ସମେତ କ୍ରାଇମବ୍ରାଞ୍ଚ, ସ୍ପେସାଲ ବ୍ରାଞ୍ଚ, ଭିଜିଲାନ୍ସ, ଜିଆରପି ଆଦିରେ ଏବେ ପ୍ରାୟ ୫୦ଟି ଅତିରିକ୍ତ ଏସ୍‌ପି ପଦବି ଫାଙ୍କା ପଡିଛି । ଗତ ଜାନୁଆରୀରେ ଡିଏସ୍‌ପି ପାହ୍ୟାରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଁ ପଦୋନ୍ନତି ବୋର୍ଡ ବୈଠକ ବସିବାର ଥିଲେ ହେଁ କୌଣସି କାରଣରୁ ଏହା ହୋଇପାରିନଥିଲା । ବିଳମ୍ବରେ ବୋର୍ଡ ୨୨ ଡିଏସ୍‌ପିଙ୍କ ପଦୋନ୍ନତିରେ ମୋହର ମାରିଛି । ପଦୋନ୍ନତି ପାଇଥିବା ସବୁ ଅଧିକାରୀ ୧୯୮୬ ବ୍ୟାଚ୍‌ର ବୋଲି ସୂଚନା ମିଳିଛି । ପଦୋନ୍ନତି ପରେ ଏହି ନୂତନ ଅତିରିକ୍ତ ଏସ୍‌ପିମାନଙ୍କୁ ଖୁବ୍‌ ଶୀଘ୍ର ନୂତନ ସ୍ଥାନରେ ନିଯୁକ୍ତି ଦିଆଯିବ । ତେଣୁ ଆଗକୁ ଅତିରିକ୍ତ ଏସ୍‌ପି ପାହ୍ୟାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି ।

ଏଥିଲାଗି ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ ହୋଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଡିଏସ୍‌ପିମାନଙ୍କ ପଦୋନ୍ନତି ପରେ ଏବେ ବାକି ଡିଏସ୍‌ପି ଏବଂ ଏସ୍‌ଡିପିଓଙ୍କ ସ୍ତରରେ ଏକ ଅଦଳବଦଳ କରାଯିବା ବୋଲି ମଧ୍ୟ ସୂଚନା ମିଳିଛି । ସେହିକ୍ରମରେ ଇନ୍ସପେକ୍ଟର ପାହ୍ୟାର କେତେକ ଅଧିକାରୀଙ୍କୁ ସରକାର ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଯୋଜନା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *