କୁଲଭୂଷଣଙ୍କ ଯାଦବକୁ ନେଇ ପାକିସ୍ତାନ ସଂସଦରେ ବିଧେୟକ ଉପସ୍ଥାପିତ,

ଇସଲାମାବାଦ:-ଭାରତର ଅବସରପ୍ରାପ୍ତ ଭାରତୀୟ ନୌସେନାର ଅଧିକାରୀ କୁଲଭୂଷଣ ଯାଦବଙ୍କ କେସ୍‌ରେ ପାକିସ୍ତାନ ସରକାର ସୋମବାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍‌ ଅଧ୍ୟାଦେଶ ୨୦୨୦ ଦେଶର ସଂସଦରେ ଉପସ୍ଥାପନ କରିଛି। ଏହାକୁ ନେଇ ବିରୋଧୀ ଦଳ ଇମ୍ରାନ ସରକାର ଉପରେ ପ୍ରଶ୍ନ ଉଠାଇଛି। ବିରୋଧୀ ଅଭିଯୋଗ କରିଛନ୍ତି ସରକାର ଯାଦବଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ସରକାରଙ୍କ କହିବା କଥା ସେମାନେ ଆଇସିଜେର ନିର୍ଦ୍ଦେଶର ପାଳନ କରୁଛନ୍ତି।

ପାକିସ୍ତାନୀ ମିଡିଆ ଅନୁଯାୟୀ ସୋମବାର ସଂସଦରେ ଏହି ବିଧେୟକ ଉପସ୍ଥାପିତ ହୋଇଛି। ଏହି ଅଧ୍ୟାଦେଶ ଅନୁଯାୟୀ ମିଲିଟାରୀ କୋର୍ଟର ନିଷ୍ପତ୍ତିର ସମୀକ୍ଷା ପାଇଁ ଇସଲାମାବାଦ କୋର୍ଟରେ ଆବେଦନ ଦାଖଲ କରାଯାଇ ପାରିବ। ଭାରତୀୟ ନୌସେନାର ୪୯ ବର୍ଷୀୟ ଅବସରପ୍ରାପ୍ତ ଅଧିକାରୀ କୁଲଭୂଷଣଙ୍କୁ ପାକିସ୍ତାନର ଏକ ସୈନ୍ୟ ଅଦାଲତ ୨୦୧୭ ଏପ୍ରିଲରେ ଗୁଇନ୍ଦାଗିରି ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। କିଛି ସପ୍ତାହ ପରେ ଭାରତ ଯାଦବଙ୍କୁ ପାକିସ୍ତାନ କୂଟନୈତିକ ସହାୟତା ଯୋଗାଉନଥିବା ଏବଂ ଅଦାଲତର ମୃତ୍ୟୁ ଦଣ୍ଡାକୁ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲା।

ଆଇସିଜେ ଗତ ବର୍ଷ ଜୁଲାଇରେ ମାମଲାର ଶୁଣାଣି କରି ନିଷ୍ପତ୍ତି ଦେଇଥିଲା ଯେ, ଯାଦବଙ୍କ ଦଣ୍ଡାଦେଶ ଉପରେ ସମୀକ୍ଷା ଓ ପୁନର୍ବିଚାର କରାଯିବା ଉଚିତ୍ ଓ ଅବିଳମ୍ଵେ କୂଟନୈତିକ ସହାୟତା ଉପଲବ୍ଧ କରାଇବା ଉଚିତ୍। ଗତ ଜୁଲାଇ ୧୬ରେ ପାକିସ୍ତାନ ଯାଦବଙ୍କୁ ଦ୍ଵିତୀୟ ଥର କୂଟନୈତିକ ସହାୟତା ପ୍ରଦାନ କରିଛି। ଏହି ସମୟରେ ପୁନର୍ବିଚାର ଯାଚିକା ଉପରେ ଦସ୍ତଖତ କରିବାକୁ ଭାରତୀୟ ରାଷ୍ଟ୍ରଦୂତ ଯାଦବଙ୍କ ନିକଟରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *