ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା : ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ
କଟକ :- ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା । ରେଭେନ୍ସା କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ହଷ୍ଟେଲରେ ରହିଯାଇଥିବା କିଛି ଛାତ୍ରଙ୍କ ମଧ୍ୟରେ କରୋନା ଚିହ୍ନଟ ହେବା ପରେ ଦେଖା ଦେଇଛି ଭୟର ବାତାବରଣ । ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ବର୍ତ୍ତମାନ ପରିସ୍ଥିତିରେ ହଷ୍ଟେଲ ଛାଡିବାକୁ ଛାତ୍ରମାନେ ନାରାଜ । ସେପଟେ ବହୁ ପୂର୍ବରୁ କ୍ୟାମ୍ପସ ଖାଲିକରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ ସୁଦ୍ଧା ଛାତ୍ରମାନେ ହଷ୍ଟଲ ଛାଡି ନଥିବା କହିଛନ୍ତି ରେଭେନ୍ସା ବିଶ୍ବ ବିଦ୍ୟାଳୟ କୁଳପତି । ଏବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆବଶ୍ୟକ ଅନୁସାରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି ।
ରେଭେନ୍ସା ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ ଛୁଇଁଛି ମହାମାରୀ କରୋନା । କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ପଜିଟିଭ ସଂକ୍ରାନ୍ତରେ ରିପୋର୍ଟ ଆସିବା ପରେ କ୍ୟାମ୍ପସରେ ଖେଳି ଯାଇଛି ଭୟର ବାତାବରଣ । ରେଭେନ୍ସା ବିଶ୍ବ ବିଦ୍ୟାଳୟ ବନ୍ଦ ହେବା ସତ୍ତ୍ବେ କିଛି ଛାତ୍ର ହଷ୍ଟେଲରେ ରହିଛନ୍ତି । ନିୟୁ ପିଜି, ପିଜି ଓ ଓ୍ବେଷ୍ଟ ହଷ୍ଟେଲରେ ମିଶି ମୋଟ୍ ୨୫ ଜଣ ଛାତ୍ର ରହିଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଛାତ୍ରମାନେ ଭୟ ଓ ଆଶଙ୍କରେ ରହିଥିବା ବେଳେ କ୍ୟାମ୍ପସ ଖାଲି କରିବାକୁ କହିଛନ୍ତି କର୍ତ୍ତୃପକ୍ଷ । ତେବେ ବର୍ତ୍ତମାନ ଲକ୍ ଡାଉନ୍ ପରିସ୍ଥିତରେ ଛାତ୍ରମାନେ କୁଆଡେ ଯିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ହଷ୍ଟେଲରେ ଥିବା ଛାତ୍ରମାନେ ଦୂରଦୂରାନ୍ତରୁ ଆସିଥିବାରୁ ଏବେ କ୍ୟାମ୍ପସ ଛଆଡିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଛାତ୍ରମାନେ ରହିଥିବା ହଷ୍ଟେଲକୁ ବିଶୋଧନ କରିବା ସହ ଛାତ୍ରମାନଙ୍କ କରୋନା ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି ।
ରେଭେନ୍ସା ବିଶ୍ବବିଦ୍ୟାଳୟ ବନ୍ଦ ହେବା ପୂର୍ବରୁ ସମସ୍ତଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଳପତି । ଏପରିକି ସମସ୍ତେ ହଷ୍ଟେଲ ଖାଲି କରିବାକୁ ମଧ୍ୟ କୁହାଯାଇଥିଲା । ହେଲେ କିଛି ଛାତ୍ର ଏହାକୁ ମାନି ନଥିଲେ । କର୍ତ୍ତୃପକ୍ଷ କ୍ୟାମ୍ପସ ଖାଲି କରିବାକୁ ବହୁବାର ଅନୁରୋଧ କିରବା ପରେ ମଧ୍ୟ ଛାତ୍ରମାନେ ହଷ୍ଟେଲ ଛାଡି ନଥିଲେ । ତେବେ ବର୍ତ୍ତମାନ କରୋନା ପଜିଟିଭ ବାହାରିବା ପରେ ରେଭେନ୍ସା କ୍ୟାମ୍ପସକୁ ବିଶୋଧନ କରାଯିବା ସହ ଆବଶ୍ୟକ ଆନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଭେନ୍ସା ବିଶ୍ବ ବିଦ୍ୟାଳୟ କୁଳପତି ।










