ବିଜେପି ସାଂସଦ ପ୍ରଜ୍ଞା ଠାକୁର ଦେଲେ କୋଭିଡ୍ ମନ୍ତ୍ର,ଦିନରେ ୫ ଥର ହନୁମାନ ଚାଳିସା ପଢନ୍ତୁ, କରୋନାରୁ ମିଳିଯିବ ନିସ୍ତାର
ଭୋପାଳ:- ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଶନିବାର କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଉପାୟ କହିଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି । କୋଭିଡ୍ ମୁକାବିଲା ପାଇଁ ହନୁମାନ ଚାଳିସା ପାଠ କରନ୍ତୁ ବୋଲି ସେ କହିଛନ୍ତି । ଏପରିକି ଟ୍ୱିଟ୍ କରି କହିଛନ୍ତି ଯେ, ଆସନ୍ତୁ ସମସ୍ତେ ମିଶି କରୋନା ମହାମାରୀକୁ ପରାସ୍ତ କରିବା । ଲୋକଙ୍କୁ ସ୍ୱାସ୍ଥ୍ୟ ପାଇଁ ଏକ ଆଧ୍ୟାତ୍ମିକ ପ୍ରୟାସ କରିବାକୁ ସେ ଆହ୍ୱାନ କରିଛନ୍ତି ।
ସେ ଟ୍ୱିଟରେ ଲେଖିଛନ୍ତି ଯେ, ଜୁଲାଇ ୨୫ରୁ ଅଗଷ୍ଟ ୫ ଯାଏଁ ପ୍ରତିଦିନ ସନ୍ଧ୍ୟା ୭ଟାରେ ନିଜ ନିଜ ଘରେ ୫ ଥର ହନୁମାନ ଚାଳିଶା ପାଠ କରନ୍ତୁ। ୫ ତାରିଖରେ ହେବାକୁ ଥିବା ରାମଲାଲା ଆରତୀ ସହ ଘରେ ଦୀପ ଜଳାନ୍ତୁ । ନିକଟରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଜଣେ ପଦାଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ରେ ରାମ ମନ୍ଦିର ଶିଳାନ୍ୟାସରେ ଯୋଗଦେବେ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଗତ ମାସରେ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ସେ ବେହୋସ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସମର୍ଥକମାନେ ଉଠାଇ ଏକ ଚେୟାରରେ ବସାଇଥିଲେ ।
ଏହାପୂର୍ବରୁ ସେ ମେ ୩୦ ତାରିଖରେ ଭୋପାଳ ଗସ୍ତ କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ ୩୧ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ଏକ ଭିଡିଓ ଜାରି କରି ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା କହିଥିଲେ । ସେ କହିଥିଲେ ଯେ, ତାଙ୍କର ଗୋଟିଏ ଆଖିକୁ ସହଜରେ ଦେଖାଯାଉ ନାହିଁ । ଅନ୍ୟ ଆଖିକୁ ୨୫ ପ୍ରତିଶତ ଦେଖାଯାଉଛି । ଏପରିକି ଡାକ୍ତର ମଧ୍ୟ ତାଙ୍କ ସହ କେହି କଥାବାର୍ତ୍ତା ନକରିବାକୁ ପରାମର୍ଶ ଦେଇଥିଲେ ।










