ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଢ଼ିଲା ସମ୍ଭାବନା

ପୁରୀ:-ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଢ଼ିଲା ସମ୍ଭାବନା । କୋଭିଡ୍‌ କଟକଣା ଭିତରେ ସ୍ନାନଯାତ୍ରା କରିବାକୁ ହୋଇଛି ନିଷ୍ପତ୍ତି ।ଏଥି ପାଇଁ ଆଜି ପ୍ରମୁଖ ୧୦ଟି ନିଯୋଗ ସହ ଆଲୋଚନା କରିଥିଲା ଶ୍ରୀମନ୍ଦିର ପଶାସନ ।  ସୀମିତ ସଂଖ୍ୟକ ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସ୍ନାନଯାତ୍ରା କରିବାକୁ ସହମତ ହୋଇଛନ୍ତି ସେବାୟତ ।

ବହୁତ ହୋଇଗଲା । କେତେ ଦିନ ଆଉ ଭକ୍ତ ବିନା ରହିବେ ଭକ୍ତବତ୍ସଳ ଜଗତ ଠାକୁର । କାଳିଆ ସାଆନ୍ତଙ୍କୁ ଆଉ ଭଲ ଲାଗୁନି ନୀଳକନ୍ଦରର ରତ୍ନସିଂହାସନ । ଭକ୍ତଙ୍କୁ ଭେଟିବାକୁ ତାଙ୍କର ଭାରି ଇଚ୍ଛା ହେଲାଣି । ଶ୍ରୀମନ୍ଦିର ଗମ୍ଭୀରା ଭିତରୁ ବାହାରିବାକୁ ଉଚ୍ଛନ୍ନ ହେଲାଣି ମହାପ୍ରଭୁଙ୍କ ମନ । ସିଏ ପରା କୋଟି ଓଡ଼ିଆଙ୍କ ମଉଡ଼ମଣୀ  । ଏତେ ଦିନ ହେଲାଣି ଭଗବାନଙ୍କ ଦର୍ଶନ ନପାଇ ଭକ୍ତର ମନ ବି ବିକଳ ହୋଇଉଠିଲାଣି । ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ କି ମହାପ୍ରଭୁ ?  ସେତେବେଳେ ଭକ୍ତର ମନରେ ଏଇ ଆଶା ଉଙ୍କିମାରିଛି, ଯେତେବେଳେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରମୁଖ ୧୦ଟି ନିଯୋଗ ସହ ଆଲୋଚନା ପରେ କୋଭିଡ୍‌ କଟକଣା ସହ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନଯାତ୍ରା କରିବାକୁ ନିଆଯାଇଛି ନିଷ୍ପତ୍ତି । ତେବେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଅନ୍ୟ ସେବାୟତ କିମ୍ବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା  ପାଇଁ ନିଷ୍ପତ୍ତି ନେବା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମ୍ଭାବନା ବଢ଼ିଛି। ପରମ୍ପରା ରକ୍ଷା କରିବା ସହ ଦାୟିତ୍ବରେ ଥିବା ସେବାୟତମାନେ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ନୀତି କରିବା ସହ ରଥଟଣା ମଧ୍ୟ ଶାନ୍ତିଶୃଙ୍ଖଳାରେ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏଥର ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅନବସର ନୀତି କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦେଇଛନ୍ତି ସେବାୟତ । ହେଲେ ସ୍ନାନଯାତ୍ରାରେ ମହାପ୍ରଭୁ ସ୍ନାନବେଦୀକୁ କିପରି ଆସିବେ ଓ  ଦେବସ୍ନାନ ଓ ପୂଜାନୀତି ସର୍ବ ସମ୍ମୁଖରେ ହେବ କି ନାହି: ତାହା ଲକଡାଉନ୍‌ ଅବଧି ସରିବା ପରେ ନିଷ୍ପତ୍ତି ନିଆଯିବ ।

ସେପଟେ ବାତ୍ୟା ପାଇଁ ସ୍ଥଗିତ ରହିଥିବା ରଥ ନିର୍ମାଣ କାମ ଆଜି ପୁଣି ଆରମ୍ଭ ହୋଇଛି । ଏବେ ୩ ରଥର ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *