ରାଜଧାନୀକୁ ଆଉଁସି ଦେଇ ଗଲା ‘ଅମ୍ଫାନ
ଭୁବନେଶ୍ୱର:-ମଙ୍ଗଳବାର ରାତି ୧୧ଟା ପରେ ପବନର ବେଗ ବଢ଼ିଥିଲା । ବୁଧବାର ସକାଳୁ ପବନର ଗର୍ଜନ ଡରାଇଥିଲା । ମଝିରେ ମଝିରେ ସୁ…ସୁ.. ଶବ୍ଦ କରି ମାଡ଼ି ଆସୁଥିଲା ପବନ । ଏହା ‘ଫୋନି’ ଭୟକୁ ମନେ ପକାଇ ଦେଉଥିଲା । ପବନର ମାଡ଼ରେ କିଛି ସ୍ଥାନରେ ଗଛ ଉପୁଡ଼ି ଯାଇଥିଲା । ଖଣ୍ଡଗିରି-ତପୋବନ ସ୍କୁଲ ରାସ୍ତାରେ ଗଛ ଭାଙ୍ଗିଥିଲା । ନାଲ୍କୋ ଛକ ଓ ମେ-ଫେୟାର ରାସ୍ତାରେ କିଛି ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ସହିଦନଗର ଦୁର୍ଗାମଣ୍ଡପ ପଡ଼ିଆରେ ଟିଣରେ ତିଆରି ୱାଲ୍ ପବନରେ ଉଡ଼ାଇ ନେଇଥିଲା । ସତ୍ୟନଗର କାଳୀମନ୍ଦିର ପାଖରେ ରାସ୍ତାପାଶ୍ୱର୍ରେ ଥିବା ଏକ ହୋର୍ଡିଂ ଉପୁଡ଼ି ପଡ଼ିଥିଲା । ଜନପଥର ଅଶୋକନଗର ପାଖରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । କ୍ୟାପିଟାଲ ହସ୍ପିଟାଲ୍ ଭିତରେ ଦୁଇଟି ଗଛ ଭାଙ୍ଗି ଯାଇଥିଲା । ପବନ ମାଡ଼ରେ ବାପୁଜୀନଗରରେ ମୋବାଇଲ୍ ଷ୍ଟୋର୍ ବାହାର ହୋର୍ଡିଂ ଭାଙ୍ଗି ଯାଇଥିଲା ।
ପବନ ସହ ବର୍ଷା ବି କାଚୁଥିଲା । କେବେ ଝିପିଝିପି ତ’ ଆଉ କେବେ ଜୋର୍ରେ ବର୍ଷୁଥିଲା । ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ଯାଏ ସହରରେ ମୋଟ ୮୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି । ତେବେ ଏତିକି ବର୍ଷା ଲଗାତର ଭାବେ ହୋଇନଥିଲା । ଘଣ୍ଟାଏ ଝିପିଝିପି ବର୍ଷା ପରେ ପୁଣି କିଛି ସମୟ ଜୋର୍ରେ ବର୍ଷୁଥିଲା । ପୁଣି ପାଗ ଶୁଖିଲା ହେଉଥିଲା । ହେଲେ ଏତିକି ବର୍ଷାରେ ସହରର କିଛି ସ୍ଥାନରେ ପାଣି ଜମିଥିଲା ।
ବମିଖାଲ ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିଥିଲା । ଆଉ ଅଳ୍ପ କିଛି ସ୍ଥାନରେ ରାସ୍ତାରେ ପାଣି ଚାଲିଥିଲା । ଆଉ ୧୨ଟି ସ୍ଥାନରେ ପାଣି ଜମିଥିଲେ ବି ଅଗ୍ନିଶମ ଟିମ୍ ଓ ବିଏମ୍ସି ପମ୍ପ ଲଗାଇ ପାଣି ନିଷ୍କାସନ କରି ଦେଇଥିଲେ ।










