ଜୁନ୍ ୫ ବୈଠକରେ ୟୁପିଏସ୍ସି ପରୀକ୍ଷା ନିଷ୍ପତ୍ତି
ଭୁବନେଶ୍ୱର:-କୋଭିଡ୍-୧୯ ମହାମାରୀ ପାଇଁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣା ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି)ର ଏକ ବୈଠକ ହୋଇଥିଲା । ଅନେକ କଟକଣା ଜାରି ରହିଥିବାରୁ ଆୟୋଗ ପକ୍ଷରୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ, ବର୍ତ୍ତମାନ ପରୀକ୍ଷା ଓ ସାକ୍ଷାତକାର(ଲିଖିତ ଓ ଭାଇବାବସ୍) ଆରମ୍ଭ କରିବା ସମ୍ଭବ ହେବନାହିଁ । ତେବେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା କ୍ରମାଗତ ଭାବେ କଟକଣା କୋହଳ କରାଯାଉଥିବାରୁ ଆୟୋଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରିବା ପରେ ପୁଣି ଥରେ ଏକ ସ୍ଥିତି ସମୀକ୍ଷା ବୈଠକ କରିବାକୁ ନିଷ୍ପତ୍ତି ହୋଇଛି ।
ଗତ ଦୁଇ ମାସର ଅବଧି କାଳରେ ସ୍ଥଗିତ ହୋଇଥିବା ବିଭିନ୍ନ ପରୀକ୍ଷା ଓ ସାକ୍ଷାତକାର ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ସୂଚନା ଦେବା ଲାଗି ଆସନ୍ତା ଜୁନ ୫ରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପରୀକ୍ଷାର ସଂଶୋଧିତ ସାରଣୀ ଜାରି କରାଯିବ । ପରୀକ୍ଷା ସହ ଜଡ଼ିତ ନୂଆ କାର୍ଯ୍ୟକ୍ରମର ବିବରଣୀ ଆୟୋଗର ପରବର୍ତ୍ତୀ ବୈଠକ ପରେ ୟୁପିଏସସିର ୱେବସାଇଟ୍ରେ ଜାରି କରାଯିବ ।










