ଦେଶରେ ୧.୧୨ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା,
ନୂଆଦିଲ୍ଲୀ:-ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ଅତିକ୍ରମ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୧୨ ହଜାର ୩୫୯ । ଏଥିମଧ୍ୟରୁ ୩୪୩୫ ଲୋକ ପ୍ରାଣ ହରାଇଛନ୍ତି । ଏହା ଏକ ଆଶ୍ବସ୍ତିକର ବିଷୟ ଯେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ହଜାର ୨୯୯ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୬୩ ହଜାର ୬୨୪ ଆକ୍ଟିଭ୍ କେସ୍ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୫୬୦୯ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହାସହ ୧୩୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୫ ହଜାର ଅତିକ୍ରମ କରୁଛନ୍ତି । ବୁଧବାର ମଧ୍ୟ ୫୬୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୦ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମହାରାଷ୍ଟ୍ର ଏବଂ ଗୁଜୁରାଟ ପରେ ତାମିଲନାଡୁରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ମହାରାଷ୍ଟ୍ରର ସର୍ବାଧିକ ୩୯ ହଜାର ୨୯୭ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୨୫୦ ଜଣ ସଂକ୍ରମିତ ହୋଇଥିଲେ । ଗୁଜୁରାଟରେ ମୋଟ୍ ୧୨ ହଜାର ୫୩୯ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟାରେ ୩୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ଗୁଜୁରାଟରୁ ୧୩ ହଜାର ୧୯୧ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୭୪୩ ସଂକ୍ରମିତ ହୋଇଛନ୍ତି ।
ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାରରୁ ଅଧିକ ରହିଛି । ଏପର୍ଯ୍ୟନ୍ତ ଏଠାରେ ୧୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୧୯୨ ଜଣ ଲୋକ ସୁସ୍ଥ ହୋଇଛନ୍ତି । ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ଏଠାରେ ୧୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ମଧ୍ୟପ୍ରଦେଶର ମୋଟ୍ ରୋଗୀଙ୍କ ସଂଖ୍ୟା ୫୭୩୫ ରହିଛି । ସେଥିମଧ୍ୟରୁ ୨୬୭ ଜଣ ଲୋକ ପ୍ରାଣ ହରାଇଛନ୍ତିl










