ବାତ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ, ୨ଦିନ ମଧ୍ୟରେ ତଥ୍ୟ ଦେବେ ଜିଲ୍ଲାପାଳ- SRC
ଭୁବନେଶ୍ୱର:-ବାତ୍ୟା ଅମ୍ଫାନ ପ୍ରଭାବରେ ଯାହା କ୍ଷୟକ୍ଷତି ହୋଇଛି,୨ ଦିନ ଭିତରେ ତାହାର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ଯୋଗୁ ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପାଇଁ ବିଶେଷ ଭାବେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । କୃଷି ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହୋଇଥିବାର ଆଶଙ୍କା ରହିଛି । ରାଜସ୍ବ ଓ କୃଷି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ସେହିପରି କେଉଁଠି କେତେ ବ୍ୟକ୍ତିଗତ ଘର ଭାଙ୍ଗିଛି, କେତେ ସରକାରୀ ସମ୍ପତି ନଷ୍ଟ ହୋଇଛି ତାହାର ଆକଳନ କରାଯିବ । ଦୁଇ ଦିନ ମଧ୍ୟରେ ତାହାର ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ଅମ୍ଫାନ ମୁକାବିଲାରେ ରାଜ୍ୟ ସରକାର ସଫଳ ହୋଇଥିବା ଏସଆରସି କହିଛନ୍ତି । ସରକାରଙ୍କ ସୁଚିନ୍ତିତ ପ୍ଲାନ୍ ଓ ସମନ୍ନୟ ଏବଂ ଫନି ବାତ୍ୟାରୁ ଶିକ୍ଷା ଅମ୍ଫାନ ମୁକାବିଲାରେ ସହାୟକ ହୋଇଥିବା ମଧ୍ୟ ସେ କହିଛନ୍ତି ।ବାତ୍ୟା ‘ଅମ୍ପାନ’ ପ୍ରଭାବରେ ଯାହା କ୍ଷୟକ୍ଷତି ହୋଇଛି, ଆସନ୍ତା ଦୁଇ ଦିନ ଭିତରେ ତା’ର ପ୍ରାଥମିକ ଆକଳନ ରିପୋର୍ଟ ପ୍ରସ୍ତୁତ ହେବ । ଏ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା । ଶ୍ରୀ ଜେନା ବୁଧବାର ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବା ସହ ଓଡ଼ିଶା ଉପରୁ ପବନର ବିପତ୍ତି ଟଳିଯାଇଛି । ଆଉ ପବନ ଆଶଙ୍କା ନାହିଁ । କିଛି କିଛି ଜାଗାରେ ବର୍ଷା ହୋଇପାରେ । ହେଲେ ବଡ଼ ବର୍ଷା ନାହିଁ । ବାତ୍ୟା ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ।ଶ୍ରୀ ଜେନା କହିଛନ୍ତି, ବହୁ ଜାଗାରେ ଗଛ ଉପୁଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା । ଏନ୍ଡିଆର୍ଏଫ୍, ଓଡ୍ରାଫ, ଅଗ୍ନିଶମ ଓ ବନ ଉନ୍ନୟନ ନିଗମ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବାରେ ଲାଗି ପଡ଼ିଛନ୍ତି । ସେହିପରି ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବାକୁ ସବୁ ବ୍ୟବସ୍ଥା ରହିଛି । ବିଜୁଳି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର କେତେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି । ତେଣୁ ବହୁ ଜାଗାରେ ବିଜୁଳି ସେବା ବିଚ୍ଛିନ୍ନ ହୋଇଛି । ଯେଉଁଠାରେ କିଛି ସମସ୍ୟା ନାହିଁ, ସେଠାରେ ଫିଡର ଲାଇନ୍ ଫଲ୍ଟ ଯାଞ୍ଚ କରି ଶୀଘ୍ର ରିଚାର୍ଜ କରାଯିବ । ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।ଆଜି ବିଜୁଳି ସେବା ନେଇ ସ୍ପଷ୍ଟ ଚିତ୍ର ମିଳିଯିବ । ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାକୁ ବେଶି ସମୟ ଲାଗିବନି । ଟେଲିକମ୍ ଟାୱାରଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇନି । ଦିନେ ଦୁଇ ଦିନ ଭିତରେ ପୂରା ଟେଲିକମ୍ ସେବା ସ୍ୱାଭାବିକ ହୋଇଯିବ ।ବାତ୍ୟାରେ କୃଷି ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ଏ ନେଇ ରିପୋର୍ଟ ଦେବେ ।










