ମଦ ଦୋକାନୀ-କର୍ମଚାରୀ ହେଲେ ସୁପରସ୍ପ୍ରେଡର

ଅନୁଗୁଳ:- ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିଥିଲେ । ଏହି ମଦ ଦୋକାନ ଲିଙ୍କ୍‌ରୁ ୪ଟି ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଅବକାରୀ ବିଭାଗର ଅଧିକାରୀ ରହିଥିବା ବେଳେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍‌ ନେଇ ସୂଚନା ଦିଆଯାଇଛି । ଉଦ୍‌ବେଗର ପ୍ରସଙ୍ଗ ହେଲା, ସମ୍ପୃକ୍ତ ଅବକାରୀ ବିଭାଗର ଦୁଇ ଅଧିକାରୀ ଶହ ଶହ ଲୋକଙ୍କ ସହ ମିଶିଛନ୍ତି । ସେହିପରି ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି । ମଦ ଦୋକାନ ଦ୍ରୁତ ଗତିରେ କରୋନା ଭୂତାଣୁ ବାଣ୍ଟିବା ପରେ କେବଳ ଜିଲ୍ଲା ପ୍ରଶାସନର ନିଦ ହଜିନି, ବରଂ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି ।

ମଦ ଦୋକାନର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିବା ପରେ ମଦ ଦୋକାନ ମାଲିକଙ୍କ ଠାରୁ ନେଇ ଅନ୍ୟ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମନରେ ଛନକା ପଶିଥିଲା । କାରଣ ଏହି ପଜିଟିଭ୍‌ଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବହୁ ଲୋକ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ବୁଧବାର ମଦ ଦୋକାନର ଗାଡ଼ି ଚାଳକଙ୍କ ପରିବାର ଲୋକ କରୋନା ପରୀକ୍ଷା କରାଯାଇଥିଲେ । ଆଣ୍ଟିଜେନ୍‌ ଟେଷ୍ଟରେ ଚାଳକ ଓ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଚାଳକଙ୍କ ପୁଅ ଓ ଝିଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଗାଡ଼ି ଚାଳକ ପରିବାର ଅନୁଗୁଳ ପୌରାଞ୍ଚଳରେ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ ସାହିରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକ ଛାନିଆ ହୋଇ ପଡ଼ିଛନ୍ତି । ସେହିପରି ସଂକ୍ରମିତ ଗାଡ଼ି ଚାଳକଙ୍କ ପୁଅ ଓ ଝିଅ ନେଗେଟିଭ୍‌ ସତ୍ତେ୍ୱ ଉଭୟଙ୍କୁ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି ।

ମଦ ଦୋକାନ ଲିଙ୍କ୍‌ରୁ ଜିଲ୍ଲା ଅବକାରୀ ବିଭାଗର ୨ ଜଣ ଅଧିକାରୀ ପଜିଟିଭ୍‌ ବାହାରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟରେ ଉଭୟ କରୋନା ସଂକ୍ରମିତ ଜଣାପଡ଼ିଛି । ଏହି ୨ ପଜିଟିଭ୍‌ଙ୍କୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି । କାରଣ ଏହି ଅଧିକାରୀମାନେ ଜିଲ୍ଲା କାର୍ଯ୍ୟାଳୟକୁ ଯାଇଛନ୍ତି । ସେହିପରି ଆକ୍ରାନ୍ତ ଦ୍ୱୟ ନିଜ ଅଫିସ୍‌ରେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । କେବଳ ଏତିକି ନୁହଁ, ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ମଧ୍ୟ ସେମାନେ ଅନେକଙ୍କ ସହ ମିଶିଛନ୍ତି । ଅବକାରୀ ବିଭାଗ ଓ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜିଲ୍ଲା ପାଇଁ ବିପଦ ଘନେଇ ଆସୁଥିବା ସନ୍ଦେହ କରାଯାଇଛି । ବିଭାଗୀୟ ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ଗାଡ଼ିରେ ବସି ରନ୍ତଲେଇ ମଦ ନିଗମ ଯାଇଥିଲେ । ସମ୍ପୃକ୍ତ ମଦ ଦୋକାନର ସେଲ୍ସମ୍ୟାନ୍‌ମାନେ ମଧ୍ୟ ଅବକାରୀ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ମଦ ବ୍ୟବସାୟୀଙ୍କ ଗାଡ଼ି ଚାଳକ, ତାଙ୍କ ପତ୍ନୀ ଓ ଅବକାରୀ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଆକ୍ରାନ୍ତମାନେ ସୁପର୍‌ସ୍ପ୍ରେଡର ସାଜିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସମ୍ପୃକ୍ତ ମଦ ଦୋକାନକୁ ଆଜି ଅବକାରୀ ବିଭାଗ ସିଲ୍‌ କରିଛି । ସେହିପରି ମଦ ବ୍ୟବସାୟୀଙ୍କ ଅଫିସ୍‌ ସିଲ୍‌ କରାଯିବା ସହ ତାଙ୍କ ଘର ମଧ୍ୟ ସିଲ୍‌ ହୋଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ସେହିପରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଓ ମୋବାଇଲ୍‌ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଆଯାଇଛି । ସେପଟେ ମଦ ଦୋକାନ ଭୂତାଣୁ ବାଣ୍ଟି ଚାଲିଥିବାରୁ ସେଠାରୁ ମଦ ନେଇ ପିଇଥିବା ଗ୍ରାହକ ଏବେ ପ୍ରମାଦ ଗଣିଲେଣି ।

Leave a Reply

Your email address will not be published. Required fields are marked *