ସାମ୍ବାଦିକ ଦେଖାଇଲେ ମାନବିକତା : ଗଞ୍ଜାମରେ ମୃତଦେହକୁ ଉଠାଇବାକୁ ଆସିଲେନି ଗାଁଲୋକେ, କାନ୍ଧଦେଲେ ସାମ୍ବାଦିକ

ଗଂଜାମ :-କରୋନା ସମୟରେ ସାମ୍ବାଦିକ ଦେଖାଇଲେ ମାନବିକତା । ଶବ ଉଠାଇବାକୁ ଆସିଲେନି ଗ୍ରାମବାସୀ କି ସମ୍ପର୍କୀୟ । ଏପରି ସମୟରେ ପିପିଇ କିଟ୍ ପିନ୍ଧି ଆଗକୁ ଆସିଲେ ଗଂଜାମ ଜିଲ୍ଲାର ୪ ଜଣ ସାମ୍ବାଦିକ । ଶବକୁ କାନ୍ଧ ଦେଲେ , ଆଂବୁଲାନ୍ସରେ ପଠାଇଲେ ଡାକ୍ତରଖାନା । ଏପରି ଘଟଣା ଏବେ ଗଂଜାମ ଜିଲ୍ଲା ଶେରଗଡ ଅଂଚଳରେ ଚର୍ଚା ବିଷୟ ହୋଇଛି । ଗତ ୧୨ ରୁ ୧୫ ଦିନ ଧରି ଲାଗି ଶେରଗଡର ବଡଦାଣ୍ଡ ଗାଁର ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ୱର ପାଢୀ ଙ୍କୁ ଲାଗି ରହିଥିଲା ଜ୍ୱର ଓ କାଶ । ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ପୀତାମ୍ୱର ସାର୍ । ହେଲେ ଏହା ପରେ ଦେଖାଦେଇଥିଲା କରୁଣ ସ୍ଥିତି । ମୃତ୍ୟୁ ପରେ ପଡି ରହିଲା ପୀତାମ୍ୱର ସାରଙ୍କ ମୃତଦେହ । ଦୁଇ ପୁଅ ରାଜ୍ୟ ବାହାରେ ରହୁଛନ୍ତି । ଶବକୁ କରୋନା ଭୟରେ କାନ୍ଧ ଦେବାକୁ ଆସିଲେନି ଗ୍ରାମବାସୀ କିଂବା ପଡୋଶୀ । ଏପରି ସମୟରେ ମାନବିକତା ଦେଖାଇଲେ ଗଂଜାମ ଜିଲ୍ଲାର ୪ ଜଣ ସାମ୍ବାଦିକ ବାଲାଜି ପ୍ରଧାନ, ମେଘନାଦ ଦାସ, ଶଙ୍କର ପ୍ରଧାନ ଏବଂ ଅଜିତ୍ ପ୍ରଧାନ ଆଗକୁ ଆସି ପୀତାମ୍ୱର ସାରଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ।ଆଂବୁଲାନ୍ସ ଯୋଗେ ଡାକ୍ତରଖାନାକୁ ମୃତ ଦେହକୁ ପଠାଇବାରେ ୪ ଜଣ ସାଂବାଦିକ ଯେପରି ସାହସ ଦେଖାଇଲେ ତାହା ଏବେ ସାରା ଅଂଚଳରେ ଚର୍ଚାର ବିଷୟ ହୋଇଛି । ଯେଉଁ ହାତ ପ୍ରତିଦିନ ଖବର ଲେଖୁଥିଲା, ସେହି ହାତ ବି ଏପରି କଠୋର ସ୍ଥିତିରେ ଏପରି ମହତ କାମ କରି ମାନବିକତାର ଉଦାହରଣ ଦେଇଛି । ଶେରଗଡ ଅଂଚଳରେ ମାନବିକତା ଦେଖାଇଥିବା ୪ ଜଣ ସାମ୍ବାଦିକଙ୍କୁ ସଭିଏଁ ଜଣାଉଛନ୍ତି ସାଧୁବାଦ ।

Leave a Reply

Your email address will not be published. Required fields are marked *