ପାରାଦୀପରେ ବଳି ଉଦ୍ୟମ ! ଉଲଗ୍ନ ଅବସ୍ଥାରେ ନାବାଳକ ଉଦ୍ଧାର

ପାରାଦୀପ:-ପାରାଦୀପ ସହରରେ ବଳି’ ପାଇଁ ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ତାନ୍ତ୍ରିକ ଓ ତା ସହ କିଛି ମହିଳା ପଡ଼ୋଶୀ ଜଣେ ନାବାଳକକୁ ୫ଟଙ୍କାର ଲୋଭ ଦେଖାଇ ଡାକି ଆଣି ଉଲଗ୍ନ ଅବସ୍ଥାରେ ନଦୀ କୂଳରେ ଠିଆ କରାଇ ପୂଜା କରୁଥିଲେ । ଏତିକିବେଳେ ନାବାଳକର ବାପା ପହଞ୍ଚି ଯିବାରୁ ନାବାଳକର ଜୀବନ ରକ୍ଷା ହୋଇଯାଇଥିବା କୁହାଯାଉଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତାନ୍ତ୍ରିକକୁ ଡାକି ଥାନାରେ ଅଟକ ରଖିଛି ।ପାରାଦୀପ ଜଟାଧାରୀ ମୁହାଣ ମେରାଇନ୍‌ ଥାନା ଅଧୀନ ଷଣ୍ଢକୁଦ ବସ୍ତିର ଲକ୍ଷ୍ମୀନାରାୟଣ କ୍ଲବ୍‌ ପାଖରେ ରହୁଥିବା ସତ୍ୟରଞ୍ଜନ ମଣ୍ଡଳ ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍ନରେ ତାଙ୍କ ୭ ବର୍ଷର ପୁଅ ପାଖରେ ଥିବା ତା ମାମୁଘରକୁ ଖେଳିବାକୁ ଯାଇଥିଲା । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ମହିଳା ପହଞ୍ଚି ସତ୍ୟଙ୍କ ପୁଅକୁ ଡାକିଥିଲେ । ପୂଜା ପାଇଁ ନଦୀରୁ ପାଣି ଉଠାଇବାକୁ କହିଥିଲେ । ତା’ ବଦଳରେ ୨୫ ଟଙ୍କା ଦେବେ ବୋଲି କହି ବସ୍ତି ପଛରେ ଥିବା ନଦୀକୁ ନେଇଯାଇଥିଲେ । ନଦୀ ପଠାରେ ନାବାଳକ ପୁଅକୁ ଉଲଗ୍ନ କରି ହାତରେ ଏକ ଛୁରୀ ଧରାଇ ପାଣିରେ ଗଣ୍ଡିଆଳ(ଗାର) କାଟିବାକୁ କହିଲେ । ପାଣି ଉଠାଇବା ପରେ ନାବାଳକକୁ ୫ଟଙ୍କା ଦେଇଥିଲେ ଆଉ ବାକି ୨୦ ଟଙ୍କା ସନ୍ଧ୍ୟା ବେଳକୁ ଦେବେ ବୋଲି କହିଥିଲେ । ସନ୍ଧ୍ୟା ବେଳକୁ ପୁଅ ଟ୍ୟୁସନ୍‌ ପଢ଼ିବାକୁ ପଳାଇଥିଲା । ହେଲେ ୨୫ ଟଙ୍କାରୁ ବାକିଥିବା ୨୦ ଟଙ୍କାର ଲୋଭ ଦେଖାଇ ଉକ୍ତ ମହିଳାମାନେ ପୁଅକୁ ପୁଣି ଡାକିନେଇଥିଲେ ।ଏପଟେ ଟ୍ୟୁସନ୍‌ରୁ ପୁଅ ଫେରିବାରେ ବିଳମ୍ବ ହେବାରୁ ଘରେ ଖୋଜାଖୋଜି ଚାଲିଲା । ଖୋଜାଖୋଜି ପରେ ନଦୀ ପାଖରେ ଥିବା ଖେଳ ପଡ଼ିଆରେ ପୁଅ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୁଅ ଉଲଗ୍ନ ହୋଇ ଛିଡ଼ା ହୋଇଥିଲା । ତା’ ଦେହରେ ସିନ୍ଦୂର, ଫୁଲ ଦେଇ ପୂଜା କରାଯାଉଥିଲା । ପାଖରେ ଉକ୍ତ ଦୁଇ ମହିଳାଙ୍କ ସମେତ ସେମାନଙ୍କ ସ୍ୱାମୀ, ତାନ୍ତ୍ରିକ ଉପସ୍ଥିତ ରହି ପୂଜା କରୁଥିଲେ । ଆଉ ଜଣେ ମହିଳା ନୂଆ ଶାଢ଼ି ପିନ୍ଧୁଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଅକୁ ଉଦ୍ଧାର କରିବାରୁ ତାନ୍ତ୍ରିକ ଓ ମହିଳାମାନେ ସତ୍ୟଙ୍କୁ ଧମକ ଚମକ ଦେଇଥିଲେ । ପରେ ପୁଅକୁ ନେଇ ଘଟଣାସ୍ଥଳରୁ ସତ୍ୟ ଆସି ବସ୍ତିି ମୁଖିଆମାନଙ୍କୁ ଜଣାଇଥିଲେ । ମୁଖିଆମାନଙ୍କ ଉଦ୍ୟମରେ ଉଭୟ ପକ୍ଷକୁ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାନ୍ତ୍ରିକ ଓ ମହିଳାମାନେ ଏହି ନ୍ୟାୟକୁ ମାନିବାକୁ ରାଜି ନଥିଲେ । ବସ୍ତି ନିଶାପ ବିଫଳ ପରେ ସତ୍ୟ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *