ଫୋନ ଟ୍ୟାପିଂ ମାମଲାରେ ଆକ୍ସନ ମୋଡରେ ଗୃହ ମନ୍ତ୍ରଣାଳୟ, ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ
ନୂଆଦିଲ୍ଲୀ:-ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କ ଉପରେ ଛାଇ ରହିଥିବା ସଙ୍କଟ ଟଳିବାର ନାଁ ନେଉନାହିଁ। ରାଜସ୍ଥାନ ସରକାରକୁ ଅସ୍ଥିର କରାଯାଉଥିବା ଅଶୋକ ଗେହଲଟଙ୍କ ଦାବି ଏବଂ ଏଥିରେ ବିଜେପି ନେତାଙ୍କ ସହିତ କଂଗ୍ରେସ ପାର୍ଟିର ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ପରେ ଆଣ୍ଟି କରପ୍ସନ ବ୍ୟୁରୋ(ଏସିବି)କୁ ଫୋନ ଟ୍ୟାପିଂର କ୍ଲିପ୍ସ ଦିଆଯାଇଛି। ଏହା ପରେ ବିଜେପି ଫୋନ ଟ୍ୟାପିଂ ମାମଲାକୁ ବେଆଇନ ଦର୍ଶାଇ ସିବିଆଇ ତଦନ୍ତ ଦାବି କରିଛି। ଅପରପକ୍ଷେ ଗୃହ ମନ୍ତ୍ରଣାଳୟ ପୂରା ମାମଲାକୁ ନେଇ ଆକ୍ସନ ମୋଡକୁ ଆସିଛି।
ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ
ସୂଚନା ଅନୁଯାୟୀ ଗୃହ ମନ୍ତ୍ରଣାଳୟ ରାଜସ୍ଥାନରେ କଥିତ ଭାବେ ନେତାଙ୍କ ଫୋନ ଟ୍ୟାପିଂ ମାମଲାରେ ରାଜ୍ୟର ମୁଖ୍ୟ ସଚିବଙ୍କଠୁ ରିପୋର୍ଟ ମାଗିଛନ୍ତି। ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ରଚାଯାଥିବା ଷଡଯନ୍ତ୍ରରେ ବିଜେପି ନେତାଙ୍କ ସଂଶ୍ଳିଷ୍ଟତା ଏବଂ ବିବାଦୀୟ ଅଡିଓ କ୍ଲିପ୍ସକୁ ରାଜସ୍ଥାନ ପୋଲିସ୍ ଫରେନ୍ସିକ ଯାଞ୍ଚ ପାଇଁ ପଠାଇବାକୁ ନିଷ୍ପତ୍ତି ନେଇଛି। ବିଜେପି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି। ରାଜ୍ୟ ବିଜେପି କହିଛି ରାଜସ୍ଥାନ ସରକାରଙ୍କ ଇସାରାରେ ବିଧାୟକ ଓ ରାଜନେତାଙ୍କ ବେଆଇନ ଫୋନ ଟ୍ୟାପିଂ କରାଯାଇଛି। ଏହାର ସିବିଆଇ ତଦନ୍ତ ହେବା ଉଚିତ୍।
ଗତ ୨୪ ଘଣ୍ଟାରେ ଅଡିଓ କ୍ଲିପ୍ ହିଁ ରାଜନୀତିର ମୁଖ୍ୟ କେନ୍ଦ୍ର ପାଲଟିଛି। ଏହାକୁ ନେଇ ଅଶୋକ ଗେହଲଟଙ୍କ ଗୋଷ୍ଠୀ ପକ୍ଷରୁ ଏହି ଦାବି କରାଯାଉଛି ଯେ, କିଛି ବିଧାୟକ ଗେହଲଟ ସରକାରଙ୍କୁ ଭାଙ୍ଗିବା ପାଇଁ ସଚିନ ପାଇଲଟ୍ଙ୍କ ସମର୍ଥନ କରୁଥିଲେ।