କରୋନା ସୁପରସ୍ପ୍ରେଡରଙ୍କୁ ନିୟନ୍ତ୍ରଣ ପାଇଁ ମୁତୟନ ହେଲେ କମାଣ୍ଡୋ

ଥିରୁୱନନ୍ତପୁରମ :- କେରଳର ରାଜଧାନୀ ଥିରୁୱନନ୍ତପୁରମ ଅନ୍ତର୍ଗତ ଏକ ଉପକୂଳବର୍ତ୍ତୀ ଗ୍ରାମ ପୁନଥୁରାରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସେଠାରେ ପୁଲିସକର୍ମୀ ଓ ଆମ୍ବୁଲାନ୍ସ ସହିତ କମାଣ୍ଡୋ ବି ମୁତୟନ କରିଛନ୍ତି । ଏହି ଗ୍ରାମରେ ସରକାରଙ୍କ ଦ୍ୱାରା ଲାଉଡସ୍ପିକର ଜରିଆରେ ଘୋଷଣା କରାଯାଉଛି କି ଗ୍ରାମର ଯେଉଁ ଲୋକ ଅନାବଶ୍ୟକ ଭାବେ ବାହାରେ ଚଲାବୁଲା କରିବ, ତା’କୁ କମାଣ୍ଡୋମାନେ ଜବରଦସ୍ତ ଟେକି ଆଣି ଆମ୍ବୁଲାନ୍ସରେ ଭର୍ତ୍ତି କରିବେ ଏବଂ କ୍ୱାରେଣ୍ଟିନ ସେଣ୍ଟରକୁ ନେଇଯିବେ । ଏହି ଗ୍ରାମର ଅଧିକାଂଶ ଲୋକ ମତ୍ସ୍ୟଜୀବୀ ହୋଇଥିଲାବେଳେ ଏବେ ସେମାନଙ୍କ ଦ୍ୱାରା ମାଛ ଧରିବା ଉପରେ କଟକଣା ଲଗାଯାଇଛି । ଅବଶ୍ୟ ପ୍ରଶାସନ ପ୍ରତି ପରିବାରକୁ ଚାଉଳ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି । ଶୁକ୍ରବାର ଗ୍ରାମର ପ୍ରତିଟି ଘରକୁ ସାନିଟାଇଜ୍‌ କରାଯିବ ବୋଲି ଘୋଷଣା କରାଯାଇଛି ।

ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାର କାରଣ ହେଉଛି କି ଏହି ଗ୍ରାମରେ ଏକାଧିକ ସୁପରସ୍ପ୍ରେଡର ରହିଛନ୍ତି । ଜଣେ ଲୋକ ଦ୍ୱାରା ଆଉ ୬ରୁ ଅଧିକ ଲୋକ ସଂକ୍ରମିତ ହେଲେ ତା’କୁ ସୁପରସ୍ପ୍ରେଡର ବୋଲି କୁହାଯାଉଛି । ଏହି ଗ୍ରାମର ଜଣେ ମାଛ ବ୍ୟବସାୟୀ ଯେକି ନିୟମିତ ତାମିଲନାଡୁରୁ ମାଛ ଆଣି ଏଠାରେ ବିକ୍ରି କରିଥାନ୍ତି, ପ୍ରଥମେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ପରେ ଏହି ଗ୍ରାମର ଶତାଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । କରୋନା ଦ୍ୱାରା ଆକ୍ରାନ୍ତ ଆଉ ଜଣେ ମତ୍ସ୍ୟଜୀବୀ ୧୨୦ ଜଣ ଲୋକଙ୍କ ସହିତ ସିଧାସଳଖ ଏବଂ ପରୋକ୍ଷରେ ଆଉ ୧୫୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବାର କୁହାଯାଇଛି । ଏପର୍ଯ୍ୟନ୍ତ ଉକ୍ତ ଗ୍ରାମର ୬୦୦ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ଭିତରୁ ୧୧୯ ଜଣଙ୍କର ନମୁନା ପଜିଟିଭ୍‌ ବାହାରିଛି ।

Leave a Reply

Your email address will not be published. Required fields are marked *