ପୋଲିସ କବଜାରୁ ଖସିଯିବାକୁ ଉଦ୍ୟମ ବେଳେ ବିକାଶ ଦୁବେ ଏନକାଉଣ୍ଟର, ବିକାଶକୁ ମୃତ ଘୋଷଣା କଲେ ଡାକ୍ତର

ଲକ୍ଷ୍ନୌ:-ଉତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଁଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତରପ୍ରଦେଶ ପୋଲିସର ସ୍ପେଶାଲ ଟ୍ୟାକ୍ସ ଫୋର୍ସ ବିକାଶ ଦୁବେକୁ ଉଜ୍ୱୟନରୁ କାନପୁର ଆଣୁଥିବାବେଳେ ସେ ବସିଥିବା ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏହାର ସୁଯୋଗ ନେଇ ଖସି ଯିବାକୁ ଉଦ୍ୟମ କରିବା ସହ ବନ୍ଧୁକ ଛଡାଇ ନେଇ ପୋଲିସ ଉପରକୁ ଗୁଳି କରିଥିଲା ବିକାଶ । ଏହାର ଜବାବରେ ପୋଲିସ ବିକାଶ ଉପରକୁ ଗୁଳି ଚଳାଇଥିଲା । ଏଥିରେ ବିକାଶ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା ।ଆଜି ସକାଳ ପ୍ରାୟ ୭ ଟାବେଳେ କାନପୁର ଟୋଲପ୍ଲାଜାଠାରୁ ୨୫ କିଲୋମିଟର ଦୂର ବାରାଠାରେ ଦୁର୍ଘଟଣା ଘଟିଥିଲା । ଏଥିରେ ଏସଟିଏଫର ଜଣେ ସବଇନିସପେକ୍ଟର ଓ ୨ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି । ବିକାଶ ଦୁବେ କାନପୁର ୮ ପୋଲିସ କର୍ମୀଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଥିଲା । ତାକୁ ଧରିବା ପାଇଁ ଉତରପ୍ରଦେଶ ପୋଲିସ ଗୋଟିଏ ସପ୍ତାହ ଦିନ ରାତି ଏକ କରି ରାଜ୍ୟବ୍ୟାପି ତଲାସି ଜାରି ରଖିଥିଲା । ଶେଷରେ ଗତକାଲି ତାକୁ ମଧ୍ୟପ୍ରଦେଶ ଉଜ୍ୱୟନରୁ ଧରିଥିଲା ଏସଟିଏଫ୍ । ଆଜି ଉଜ୍ୱୟନିରୁ କାନପୁର ଅଣାଯାଉଥିଲା ।

ତେବେ ଗତକାଲିର ନାଟକୀୟ ଗିରଫଦାରୀ ଓ ଆଜି ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିବା ଯାଏ, କେମିତି ଥିଲା ପୂରା ଘଟଣା ଜାଣନ୍ତୁ।

୧-ଶୁକ୍ରବାର ସକାଳୁ ୟୁପି ଏସଟିଏଫ ବିକାଶ ଦୁବେକୁ କାନପୁର ଆଣୁଥିଲା। ତେବେ ବାରା ନିକଟରେ ପୁଲିସ୍‌ କନଭୟରେ ଥିବା ଗୋଟିଏ ଗାଡ଼ି ପ୍ରବଳ ବର୍ଷା ଯୋଗୁ ଓଲଟି ପଡ଼ିଥିଲା।

୨-ବିକାଶ ଦୁବେ ଦୁର୍ଘଟଣା ପରେ ପୁଲିସ୍‌ ପଞ୍ଝାରୁ ଖସିବାକୁ ଚେଷ୍ଟା କରିଥିଲା। ଏପରି କି ଜଣେ ଅଫିସରଙ୍କ ଠାରୁ ସେ ପିସ୍ତଲ ମଧ୍ୟ ଛଡ଼ାଇ ନେଇଥିଲା। ଏହାପରେ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ବିକାଶର ଗୁଳିମାଡ଼ରେ ୪ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ର ଗୁଳିରେ ବିକାଶ ଆହତ ହେବା ସହ ସେହିଠାରେ ଠଳି ପଡ଼ିଥିଲା।

୩-ବିକାଶକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।

୪-ପୁଲିସ୍‌ କହିଛି ଯେ ବାରା ଅଞ୍ଚଳରେ ଗାଡ଼ି ଓଲଟିବା ପରେ ସଚେଣ୍ଡି ଠାରେ(କାନପୁର ବର୍ଡର) ଏନକାଉଣ୍ଟର ହୋଇଥିଲା।

୫-ଗୁରୁବାର ଉଜ୍ଜୟୀନର ଏକ ମନ୍ଦିରରୁ ମଧ୍ୟପ୍ରଦେଶ ପୁଲିସ୍‌ ବିକାଶକୁ ଗିରଫ କରିବା ପରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ଖବର ଦେଇଥିଲା। ଉତ୍ତର ପ୍ରଦେଶ ଏସଟିଏଫ ଆଜି ତା’କୁ ଉଜ୍ଜୟୀନରୁ କାନପୁର ଆଣୁଥିଲା।

୬-କାନପୁର ଠାରେ ବିକାଶ ଓ ତା’ର ସହଯୋଗୀମାନେ ଆମ୍ବୁସ କରି ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଜୁଲାଇ ୩ରେ ଏହି ଘଟଣା ଘଟିଥିଲେ ହେଁ ବିକାଶ ଗତକାଲି ଯାଏ ଫେରାର ରହିଥିଲା।

୭-ବିକାଶ ମଧ୍ୟପ୍ରଦେଶର ମହାକାଳ ମନ୍ଦିରକୁ ଯିବା ପୂର୍ବରୁ ପ୍ରସାଦ କିଣିଥିଲା ଓ କାଉଣ୍ଟରରେ ଟିକେଟ ମଧ୍ୟ କରିଥିଲା। ଏହି ସମୟରେ ଟିକେଟ ଦେଇଥିବା ବ୍ୟକ୍ତି ବିକାଶକୁ ଚିହ୍ନି ପାରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆଗରେ ହିଁ ବିକାଶ କହିଥିଲା ଯେ ମୁଁ ହିଁ ବିକାଶ ଦୁବେ, କାନପୁର ୱାଲା।

୮-ବିକାଶ ଗିରଫ ହେବା ପରେ ଉତ୍ତର ପ୍ରଦେଶ ଏସଟିଏଫ ତା’ ପତ୍ନୀକୁ ବି କ୍ରୀଷ୍ଣା ନଗର ବାସଭବନରୁ ଗିରଫ କରିଥିଲା। ବିକାଶ ପୁଅ ଓ ଘରେ କାମ କରୁଥିବା ବ୍ୟକ୍ତିଙ୍କୁ ବି ଏସଟିଏଫ ଉଠାଇ ନେଇଥିଲା।

୯-ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି। ତେବେ କାନପୁର ଗୁଳିକାଣ୍ଡ ପରେ ତା’କୁ ଧରିବା ପାଇଁ ୨୦ଟି ଟିମ୍‌ ଗଠନ କରାଯାଇଥିଲା। ମଙ୍ଗଳବାର ତା’କୁ ଫରିଦାବାଦ ଓ ବୁଧବାର ନୋଏଡାରେ ଠାବ କରାଯାଇଥିଲା। ହେଲେ ସେ ସମସ୍ତଙ୍କୁ ଚକମା ଦେଇ ମଧ୍ୟପ୍ରଦେଶ ପଳାଇ ଆସିଥିଲା।

Leave a Reply

Your email address will not be published. Required fields are marked *