ସ୍ତ୍ରୀକୁ ହାଣି ନିଜ ପେଟରେ ଛୁରୀ ଭୁସିଲା ସ୍ୱାମୀ
କୋରେଇ:- ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଞ୍ଚାୟତ ବଢ଼େଇଟିକର ଗ୍ରାମରେ ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ଲହୁଲୁହାଣ ହୋଇଛନ୍ତି । ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପରିବାର ଲୋକଙ୍କ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶଙ୍ଖଚିଲା ବଢ଼େଇ ଟିକର ଗ୍ରାମର ଲକ୍ଷ୍ମୀଧର ମାଝୀ(୫୦) ଓ ତାଙ୍କ ସ୍ତ୍ରୀ ନୟନୀ ମାଝୀ (୪୩)ଙ୍କ ମଧ୍ୟରେ ଘରର ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଧିରେଧିରେ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା । ଉତ୍କ୍ଷିପ୍ତ ହୋଇ ଲକ୍ଷ୍ମୀଧର ଘରର ଗ୍ରୀଲରେ ଭିତରୁ ପଟୁ ତାଲା ପକାଇ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ନୟନୀ ପ୍ରତିରୋଧ କରିବାରୁ ଲକ୍ଷ୍ମୀଧର ଉତ୍ତେଜିତ ହୋଇ ତାକୁ ମରଣାନ୍ତକ ଆକ୍ରମଣ କରିବା ସହିତ ନିଜ ପେଟରେ ଛୁରି ଭୁସି ଦେଇଥିଲେ।
ଫଳରେ ତାଙ୍କ ପେଟରୁ ଅନ୍ତଃବୁଜୁଳା ବାହାରକୁ ବାହାରି ପଡ଼ିଥିଲା । ଚିତ୍କାର ଶୁଣି ଗାଁ ଲୋକେ ଲକ୍ଷ୍ମୀଧରଙ୍କ ଘର ନିକଟକୁ ଦୌଡ଼ିଥିଲେ । ଘରର ଭିତର ପଟରୁ ଗ୍ରୀଲ୍ରେ ତାଲା ପଡ଼ିଥିବାରୁ ଘର ଭିତରକୁ ପଶି ପାରିନଥିଲେ । କିଛି ସମୟ ପରେ ଗ୍ରୀଲ୍ ତାଲା ଭାଙ୍ଗି ଘର ଭିତରକୁ ପଶି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ ।










