PoKରେ ଉଠିଲା ଚୀନ୍-ପାକିସ୍ତାନ ବିରୋଧୀ ସ୍ୱର

ନୂଆଦିଲ୍ଲୀ:– ପାକ୍‌ ଅଧିକୃତ କାଶ୍ମୀରର (PoK)ର ମୁଜାରଫରବାଦ ସହରରେ ଚୀନ୍‌ ଓ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ପିଓକେ ଦେଇ ପ୍ରବାହିତ ନୀଲମ ଓ ଝେଲମ ନଦୀରେ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଯୋଜନାରେ ଅବୈଧ ନିର୍ମାଣକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ । ନିର୍ମାଣ କରାଯିବା ଦ୍ୱାରା ସେଠାକାର ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି । ବାରମ୍ବାର ଲୋକମାନେ ଏହାକୁ ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ପାକିସ୍ତାନ ସରକାର ଯେମିତି ଆଖିବୁଝି ଦେଇଛି ବୋଲି ମଧ୍ୟ ଅଭିଯୋଗ କରୁଛନ୍ତି । ଏହା ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇବାକୁ ଏପରି ଆନ୍ଦୋଳନ କରାଯାଉଛି ।

ବିକ୍ଷୋଭକାରୀମାନେ କହିଛନ୍ତି ଯେ, ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବିବାଦୀୟ ଅଞ୍ଚଳ ନଦୀ ଚୁକ୍ତି କେଉଁ ଆଇନ ଅନୁଯାୟୀ ହୋଇଛି? ସେମାନେ କହିଛନ୍ତି ଯେ ନଦୀକୁ କବଜା କରି ପାକିସ୍ତାନ ଏବଂ ଚୀନ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଂଘନ କରୁଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ପ୍ରକଳ୍ପ ବନ୍ଦ ନହେବା ପର୍ଯ୍ୟନ୍ତ ସେଠାରେ ବିରୋଧ ଜାରି ରଖିବା ବୋଲି ଚେତାବନୀ ଦେଇଛନ୍ତି ।

କୋହଲା ଠାରେ ୨.୪ ବିଲିୟନ ଡ଼ଲାର ମୂଲ୍ୟରେ ୧,୧୨୪ ମେଗାୱାଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଏକ ଚାଇନିଜ୍ କମ୍ପାନୀକୁ ଦାୟିତ୍ ଦିଆଯାଇଛି । ଯେଉଁଥିପାଇଁ କମ୍ପାନୀ, ପାକିସ୍ଥାନ ଏବଂ ଚୀନ୍ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ପାକିସ୍ତାନ ଅଧିକୃତ କାଶ୍ମୀରର ଜେଲମ୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ହାଇଡ୍ରୋ ପାୱାର ପ୍ଲାଣ୍ଟକୁ ଚାଇନାର ଥ୍ରୀ ଗର୍ଗ କର୍ପୋରେସନ୍ ଅଫ୍ କୋହଲା ହାଇଡ୍ରୋପାୱାର୍ କମ୍ପାନୀ ଲିମିଟେଡ୍ କୁ ପ୍ରଦାନ କରାଯାଇଛି। ଯାହାକୁ ନେଇ ପିଓକେରେ ଏବେ ବିରୋଧାଭାସ ଦେଖାଦେଲାଣି ।

Leave a Reply

Your email address will not be published. Required fields are marked *