ଅପରାଧୀ-ପୋଲିସ ଗୁଳିବିନିମୟ, ଡିଏସ୍ପି ସମେତ ୮ ପୋଲିସ ସହିଦ
`କାନପୁର :-ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ସହ ଅପରାଧୀମାନଙ୍କର ଗୁଳିବିନିମୟ ହୋଇଥିଲା । ଫଳରେ ଡେପୁଟି ଏସ୍ପିଙ୍କ ସମେତ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀମାନେ ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି ।ସହିଦ ପୋଲିସଙ୍କ ମଧ୍ୟରେ ସିଓ ବିଲହ୍ଲୋର, ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର ଏଏସଓ ମହେଶ ଯାଦବ ଅଛନ୍ତି । ଏହାସହ ଜଣେ ସବ୍ ଇନ୍ସପେକ୍ଟର ଏବଂ ୫ ଜଣ କନଷ୍ଟେବଲ ସହିଦ ହୋଇଛନ୍ତି । ଗୁଳି ବିନିମୟ ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଏଡିଜି ଜୟ ନାରାୟଣ ସିଂହ ସୂଚନା ଦେଇଛନ୍ତି । ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।ବିଳମ୍ବତି ରାତିରେ ବିକାଶ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଦଳ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ରାତି ପ୍ରାୟ ସାଢେ ୧୨ଟା ବେଳେ ବିଠୁର ଏବଂ ଚୌବେପୁର ପୋଲିସ ମିଳିତ ଭାବେ ବିକାଶ ଦୁବେର ଗାଁ ବିକାରୁରେ ତାଙ୍କ ଘରେ ଚଢାଉ କରିଥିଲେ । କିନ୍ତୁ ହଠାତ୍ ବିକାଶ ଓ ତାଙ୍କ ୮ରୁ ୧୦ ଜଣ ସହଯୋଗୀ ଅଚନାକ ପୋଲିସ ଉପରେ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଅପରାଧୀଙ୍କ ଗୁଳିରେ ୮ ଜଣ ପୋଲିସ କର୍ମଚାରୀ ସଦିହ ହୋଇଛନ୍ତି ।










