ନୂଆବର୍ଷରୁ ଟ୍ୱିନ୍‌ସିଟିରେ ୨୪ ଘଣ୍ଟିଆ ବିଜୁଳି

ଭୁବନେଶ୍ୱର;- କଟକ-ଭୁବନେଶ୍ୱରରେ ଆଉ କଟିବନି ବିଜୁଳି । ଦିନ ରାତି ୨୪ ଘଣ୍ଟା ନିରବିଚ୍ଛିନ୍ନ ବିଜୁଳି ସେବା ମିଳିବ । ଖରା ହେଉ କି ବର୍ଷା, ଏମିତିକି ଝଡ଼ ତୋଫାନରେ ବି ବିଜୁଳି ସେବା ଜାରି ରହିବ । ଖାଲି ସେତିକି ନୁହେଁ, ଟ୍ୱିନ୍‌ସିଟିରେ ଲୋ-ଭୋଲଟେଜ୍‌ ସମସ୍ୟା ବି ରହିବ ନାହିଁ । ଏମିତି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଡିସେମ୍ବର ସୁଦ୍ଧା ପ୍ରକଳ୍ପର ସମ୍ପୂର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ଯୋଜନା କାର୍ଯ୍ୟକାରୀ ହେଲେ ଟ୍ୱିନ୍‌ସିଟି ରାସ୍ତାକଡ଼ରେ ଆଉ ବିଜୁଳି ଖୁଣ୍ଟ ଦେଖିବାକୁ ମିଳିବନି । ମୁଣ୍ଡ ଉପର ଦେଇ ଯାଇଥିବା ବିଜୁଳି ତାର ବି ହଟିଯିବ । ମାଟି ତଳେ ତଳେ ଯିବ କେବୁଲ୍‌ । ଯେଉଁଠି ସବ୍‌ଷ୍ଟେସନ ରହିବ, ତାହାକୁ ଏକଦମ୍‌ ଶକ୍ତ କରାଯିବ । ବଡ଼ ବାତ୍ୟା ସମ୍ଭାଳିବା ଭଳି ବିଦ୍ୟୁତ୍‌ ଭିତ୍ତିଭୂମି ଛିଡ଼ା ହେବ ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଟ୍ୱିନ୍‌ସିଟି ପାଇଁ ଅତ୍ୟାଧୁନିକ ବିଦ୍ୟୁତ୍‌ ସେବା ପ୍ରକଳ୍ପର ସମୀକ୍ଷା ହୋଇଥିଲା । ବୈଠକରେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଲେ, ଏହି ପ୍ରକଳ୍ପ ନେଇ ଯାହା ବି ସମସ୍ୟା ଅଛି, ତାହାକୁ ତୁରନ୍ତ ତୁଟାଇବାକୁ ହେବ । ଶକ୍ତି ବିଭାଗ, ସାଧାରଣ ପ୍ରଶାସନ, ଗ୍ରୀଡ୍‌କୋ, ଓପିଟିସଏଲ୍‌ ଏ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ମିଳିତ ଭାବେ କାମ କରିବାକୁ ପଡ଼ିବ । ଓପିଟିସିଏଲ୍‌ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯେମିତି ହେଉ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ମୁଖ୍ୟ ସଚିବ ।

ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଭୂତଳ କେବୁଲ ବିଛାଯିବା ପରେ ମୁଣ୍ଡ ଉପର ଦେଇ ଯାଇଥିବା ସମସ୍ତ କେବୁଲକୁ ହଟାଯିବ । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଲେ, ଏହି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ ବାତ୍ୟା ପ୍ରତିରୋଧୀ କରିବାକୁ ହେବ । ୩୦୦ କିଲୋମିଟର ପବନକୁ ସମ୍ଭାଳି ପାରିବା ଭଳି ଭିତ୍ତିଭୂମି ଛିଡ଼ା କରିବାକୁ ସେ ପରାମର୍ଶ ଦେଇଥିଲେ ।

ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ, ଏହି ନୂଆ ବ୍ୟବସ୍ଥା ଟ୍ୱିନ୍‌ସିଟିରେ ୧୩୦୦ ମେଗା ୱାଟ୍‌ ବିଜୁଳି ଚାହିଦାକୁ ପୂରଣ କରିବ । ୨୪ ଘଣ୍ଟା ନିରବିଚ୍ଛିନ୍ନ ବିଜୁଳି ସହ ପୂର୍ବାପେକ୍ଷା ଗୁଣାତ୍ମକ ସେବା ମିଳିବ । ଏହାଦ୍ୱାରା ବିଜୁଳି ପରିବହନ ଓ ଆବଣ୍ଟନଜନିତ କ୍ଷତି କମିବ । ବିଦ୍ୟୁତ୍‌ଜନିତ ଦୁର୍ଘଟଣା ହ୍ରାସ ପାଇବ । ବିଦ୍ୟୁତ୍‌ ବିଭାଗର ରକ୍ଷଣାବେକ୍ଷଣ ଓ ମରାମତି ଖର୍ଚ୍ଚ କମିଯିବ । ଏଭଳି ବ୍ୟବସ୍ଥା ଯୋଗୁ ଉଭୟ ସହର ନୂଆ ରୂପ ପାଇବ ।

Leave a Reply

Your email address will not be published. Required fields are marked *