ଋୁଷ ସହିତ ଭାରତର ବଡ ଡିଲ୍: ଆସିବ ୩୩ ଯୁଦ୍ଧ ବିମାନ, ଅପଗ୍ରେଡ୍‌ ହେବ ୫୯ ମିଗ୍‌-୨୯ ବିମାନ

ନୂଆଦିଲ୍ଲୀ :- ଲଦାଖକୁ ନେଇ ଚୀନ୍‌ ସହିତ ଲାଗି ରହିଥିବା ଉତ୍ତେଜନା ଦୃଷ୍ଟିରୁ ଭାରତ ଖୁବଶୀଗ୍ର ରୁଷ ଠାରୁ ୩୩ ଯୁଦ୍ଧ ବିମାନ ଆଣିବାକୁ ଯାଉଛି । ସେଥିରେ ୨୧ଟି ମିଗ-୨୯ ଓ ୧୨ଟି ସୁଖୋଇ-୩୦ ଲଢୁଆ ବିମାନ ରହିଛି । ଭାରତର ପ୍ରତିରକ୍ଷା କ୍ରୟ ପରିଷଦ(ଡିଏସି) ଗୁରୁବାର ପ୍ରାୟ ୩୮,୯୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଂଜୁରି ଦେଇଛି । କେବଳ ଏତିକି ନୁହେଁ ବର୍ତ୍ତମାନ ଭାରତ ପାଖରେ ଥିବା ୫୯ଟି ମିଗ୍‌-୨୯ ଯୁଦ୍ଧବିମାନର ଆଧୁନିକୀକରଣ (ଅପଗ୍ରେଡ୍‌) ଯୋଜନାକୁ ମଧ୍ୟ ଡିଏସି ସ୍ୱୀକୃତି ଦେଇଛି ।

ସୂଚନା ଅନୁସାରେ ଯେଉଁ ୧୨ଟି ସୁଖୋଇ-୩୦ ଏମ୍‌କେଆଇ ବିମାନ କ୍ରୟ କରାଯିବ, ସେଗୁଡିକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ)ର ପ୍ଲାଣ୍ଟରେ ନିର୍ମାଣ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଡିଏସି ବୈଠକରେ ଏସବୁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୨୧ଟି ମିଗ୍‌-୨୯ଏସ୍‌ ଯୁଦ୍ଧବିମାନ କ୍ରୟ କରିବା ଏବଂ ଏହି ଧରଣର ୫୯ଟି ବିମାନର ଆଧୁନିକୀକରଣ କରିବା ପାଇଁ ଭାରତ ସରକାର ୭,୪୧୮ କୋଟି ଟଙ୍କା ବ୍ୟୟ କରିବାକୁ ଥିଲାବେଳେ ୧୨ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନଳ କ୍ରୟ କରିବା ପାଇଁ ୧୦,୭୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏ ବାବଦରେ ମୋଟ ୧୮, ୧୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ଡିଏସି ବୈଠକରେ ବି ବାୟୁସେନା ଓ ନୌସେନା ପାଇଁ ୧୦୦୦ କିମି ଦୂର ଯାଏଁ ମାଡ କରିପାରୁଥିବା ଲ୍ୟାଣ୍ଡ ଆଟାକ କ୍ରୁଜ ମିସାଇଲ ଏବଂ ଆକାଶରୁ ଆକାଶରେ ମାଡ଼ କରିବାରେ ସକ୍ଷମ ଅସ୍ତ୍ର ମିସାଇଲ କ୍ରୟ ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଛି । ଏହାସହିତ ସେନା ପାଇଁ ଅତିରିକ୍ତ ପିନାକ ରକେଟ ଲଞ୍ଚର, ସଫ୍ଟୱେର ଡିଫାଇନ୍‌ଡ ରେଡିଓ ଓ ଅନ୍ୟ କିଛି ଉପକରଣ କ୍ରୟ ଯୋଜନାକୁ ବି ମଂଜୁର କରାଯାଇଛି । ଏଥିପାଇଁ ପ୍ରାୟ ୨୦,୪୦୦ କୋଟି ଟଙ୍କା ବିନିଯୋଗ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଭାରତରେ ବିଭିନ୍ନ ଏମ୍‌ଏସ୍‌ଏମ୍‌ଇ ସହାୟତାରେ ପ୍ରତିରକ୍ଷା ଉପକରଣ ନିର୍ମାଣ କରାଯିବ । ମଞ୍ଜୁର ଅର୍ଥରୁ ୮୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ବିନିଯୋଗ ହେବ । ଯୁଦ୍ଧବିମାନ, ମିସାଇଲ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମିଳିବା ପରେ ଭାରତର ୩ ବାହିନୀ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ । ପୂର୍ବରୁ ସେନାରେ ପିନାକ ମିସାଇଲ ସାମିଲ ହୋଇଥିଲା ବେଳେ ଆଉ ଅଧିକ ଉତ୍ପାଦନ କରାଯିବା ଫଳରେ ଅଧିକ ସଂଖ୍ୟକ ରେଜିମେଣ୍ଟରେ ତାକୁ ନିୟୋଜିତ କରାଯିବ । ସେହିଭଳି ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ ମିସାଇଲ ସିଷ୍ଟମ ଦ୍ୱାରା ନୌସେନା ଓ ବାୟୁସେନାର ଶକ୍ତି ବଢ଼ିବ ।

Leave a Reply

Your email address will not be published. Required fields are marked *