ବାହୁଡିଲେ ମହାବାହୁ – ସିଂହଦ୍ୱାର ନିକଟରେ ଲାଗିଲା ତିନିରଥ

ପୁରୀ – ଏବେ ଶ୍ରୀଜୀଉମାନଙ୍କର ରଥଯାତ୍ରା ଅନ୍ତିମ ପର୍ଯ୍ୟାୟରେ ଏହା ସୁରୁଖୁରରେ ଚାଲିଛି । ବୁଧବାରରେ ଜନ୍ମ ବେଦୀରୁ ରତ୍ନ ବେଦୀରୁ ବାହୁଡିବା ଆରମ୍ଭ କରିଛନ୍ତି ଚୁତୁର୍ଦ୍ଧା ମୂର୍ତ୍ତୀ । ବାହୁଡାରେ ସମସ୍ତ ନୀତି କାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଛି । ଭୋର୍ ୩ଟା ୫୦ବେଳକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ ଆଦି ନୀତିକାନ୍ତି ଶେଷ ହେବାପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ବାହୁଡ଼ାଯାତ୍ରାରେ ବାହାରିଥିଲେ ଚତୁର୍ଦ୍ଧାମୂରତି । ସକାଳ ୭ଟା ୨୦ବେଳକୁ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କ ବାହୁଡ଼ା ପହଣ୍ଡି । ୯ଟା ୫୫ରେ ଶେଷ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ଶେଷ ହେବା ପରେ ରଥରରେ ଠାକୁରଙ୍କ ବେଶ କରାଯାଇଥିଲା

। ଧାର୍ଯ୍ୟ ସମୟର ୩୫ମିନିଟ୍ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୧୧ଟା ୨୫ମିନିଟ୍ରେ ଗଡ଼ିଥିଲେ ଗଡ଼ିଥିଲେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ଏହାପରେ ୧୨ଟା ୨୦ରେ ଦେବୀ ସୁଭଦ୍ରଙ୍କ ଦେବଦଳନ ଏବଂ ଅପରାହ୍ଣ ଗୋଟାଏ ୨୫ ବେଳକୁ ଗଡ଼ିଥିଲା ଚକାନୟନଙ୍କ ନନ୍ଦିଘୋଷ ରଥ । କରୋନା କଟକଣା ପାଇଁ ଏଥର ଭକ୍ତଶୂନ୍ୟ ରଥଯାତ୍ରା ହୋଇଥିଲେ ମଧ୍ୟ ଘଣ୍ଟଘଣ୍ଟା ଶବ୍ଦ ସହ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଉଠିଥିଲା ସାରା ବଡ଼ଦାଣ୍ଡ । ଖାଲି ପାଦରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସିଂହଦ୍ବାର ଯାଏଁ ତିନି ରଥକୁ ଟାଣି ନେଇଥିଲେ ସେବାୟତ । ।

ଆଗେ ଆଗେ ଚାଲିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ । ମଝିରେ ଚାନ୍ଦମୁହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପଛକୁ ପଛ ଆସୁଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ । ବଡ଼ଦାଣ୍ଡରେ ଏ ଅପୂର୍ବ ଦୃଶ୍ୟକୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଦର୍ଶନ କରୁଥିଲେ ଭକ୍ତ ।

ବାଟରେ ମାଉସୀମାଆଙ୍କ ମନ୍ଦିର ପାଖରେ କିଛି କ୍ଷଣ ପାଇଁ ଅଟକି ଥିଲା ରଥ । ମାଉସୀମାଆଙ୍କ ସୁଆଦିଆ ପୋଡ଼ ପିଠାକୁ କେମିତି ବା ଭୁଲିଥାନ୍ତେ ଭୋଜନପ୍ରିୟ କାଳିଆ ସାଆନ୍ତ । ତିନିଟି କୁଡ଼ୁଆରେ ପରସା ହୋଇଥିବା ପୋଡ଼ପିଠାକୁ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା । ଏହା ପରେ ଆଗକୁ ଗଡ଼ିଥିଲା ରଥ । ପୁଣି ଶ୍ରୀନଅର ପାଖରେ ଅଟକିଥିଲେ ମହାପ୍ରଭୁ । ସେଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା । ପରମ୍ପରା ପାଳନ ପରେ ପୁଣି ଆଗକୁ ବଢ଼ିଥିଲେ ଜଗତ ଠାକୁର । ଅପରାହ୍ଣ ସାଢ଼େ ୪ଟା ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗି ସାରିଥିଲେ ତିନି ରଥ ।

ତିନି ରଥରେ ନୀତି ସହ ସମ୍ପୃକ୍ତ ମାତ୍ର ୧୦ଜଣ ସେବାୟତ ବସିଥିଲେ । ଆଉ ପ୍ରତ୍ୟେକ ରଥ ଟାଣିବା କାର୍ଯ୍ୟରେ ସାମିଲ ହୋଇଥିଲେ ୫ଶହ ସେବାୟତ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯାଇ କୋଭିଡ୍ କଟକଣା ଭିତରେ ସମ୍ପନ୍ନ ହୋଇଛି ଚଳିତବର୍ଷର ପୁରୀ ରଥଯାତ୍ରା ।

ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୧୦ଟାରୁ ସାରା ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଥିଲା । ପୁରୀ ସହରର ସମସ୍ତ ପ୍ରବେଶ ଦ୍ବାର ସହ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା । କେବଳ କୋଭିଡ୍ ଟେଷ୍ଟରେ ନେଗେଟିଭ୍ ଆସିଥିବା ସେବାୟତ ଏବଂ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଖୁବ୍ ସୁନ୍ଦର ଭାବେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ରଥାରୂଢ଼ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *