ପ୍ରଧାନମନ୍ତ୍ରୀ ମୋଦି ଛାଡିଲେ Weibo
ନୂଆଦିଲ୍ଲୀ:-ଲଦାଖର ଗଲଓ୍ବାନ ଘାଟିରେ ଚୀନର ଆକ୍ରମଣାତ୍ମକ କାର୍ଯ୍ୟକଳାପ ପରେ ଭାରତ ଆର୍ଥିକ ସ୍ତରରେ ଡ୍ରାଗନକୁ କ୍ଷତି ପହଁଞ୍ଚାଇବାକୁ ଚାହୁଁଛି। ୫୯ ଚୀନ ଆପ୍ସକୁ ବ୍ୟାନ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ Weiboରୁ ଛାଡିଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ Weibo ସହିତ ଯୋଡି ହୋଇଥିଲେ। ନ୍ୟୁଜ ଏଜେନ୍ସି ANI ର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଏହି ନିଷ୍ପତ୍ତି ଚୀନର ୫୯ ଆପ୍ଲିକେସନକୁ ବ୍ୟାନ କରିବା ପରେ ନେଇଛନ୍ତି।
ANI ସୁତ୍ରରୁ ମିଳିଥିବା ଖବର ଅନୁସାରେ ଭିଆଇପି ଆକାଉଣ୍ଟ ଡିଲିଟ୍ କରିବାର ପକ୍ରିୟା ଜଟିଳ ହୋଇଥାଏ। ତେବେ ଆକାଉଣ୍ଟ ଡିଲିଟ୍ କରିବାର ଅଫିସିଆଲ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଚୀନ୍ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯିବରେ ବେଶ୍ ବିଳମ୍ବ କରାଯାଉଛି। ଏହାର କାରଣ ସ୍ପଷ୍ଟ କରାଯାଇନାହିଁ। ମୋଦି ଏହା ଉପରେ ୧୧୫ଟି ପୋଷ୍ଟ କରିଥିବା ବେଳେ ୧୧୩ଟିକୁ ହଟାଇ ଦିଆଯାଇଛି।ବୁଧବାର ମୋଦିଙ୍କ Weibo ଆକାଉଣ୍ଟରୁ ତାଙ୍କର ପ୍ରୋଫାଇଲ ଫଟୋ ସହିତ ଅନ୍ୟ ସୂଚନା ହଟାଇ ଦିଆଯାଇଛି। ୨୦୧୫ ରେ ମୋଦି ଚୀନ୍ ଗସ୍ତ ବେଳେ ଏହି ଆକାଉଣ୍ଟ ଖୋଲିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ Weibo ଆକାଉଣ୍ଟରୁ ସମସ୍ତ ପୋଷ୍ଟ ଚୀନ୍ ଭାଷାରେ ହେଉଥିଲା। ଗଲଓ୍ବାନ ଘାଟିରେ ୧୫ ଜୁନରେ ଚୀନ୍-ଭାରତ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଦେଶରେ ଲୋକପ୍ରିୟ ଆପ୍ ଟିକଟକ୍, ସେୟାରଇଟ୍, ହେଲୋ, ୟୁସି ବ୍ରାଉଜର ସହିତ ମୋଯ ୫୯ଟି ଆପ୍ଲିକେସନକୁ ବ୍ୟାନ୍ କରିଦେଇଛନ୍ତି।










