ଏବର୍ଷ ଶୁଭିବନି ‘ବୋଲ୍ ବମ୍, ହରହର ବମ୍’
ଭୁବନେଶ୍ୱର:- କରୋନା କଟକଣା ଏଥିରେ ବାଧକ ସାଜିବ । ଏଥିପାଇଁ ଶୈବ ପୀଠରେ ମଧ୍ୟ କୌଣସି ବିଶେଷ ଆୟୋଜନ ହେବାର ଆଶା ନାହିଁ । କୁଆଖାଇ, ମହାନଦୀ, ଦେବୀ ଓ ଅନ୍ୟାନ୍ୟ ନଦୀରୁ ଆଉ କାଉଡ଼ିଆମାନେ ପାଣି ନେଇ ଶୈବ ପୀଠକୁ ଯାଉଥିବା ମଧ୍ୟ ଦେଖାଯିବନି । ତେଣୁ ମାନସିକଧାରୀ କାଉଡ଼ିଆ ମାନଙ୍କ ମନରେ ଅଶେଷ ଯନ୍ତ୍ରଣା । ମହାଦେବଙ୍କ କରୁଣା ହେଲାନି, ସେଥିପାଇଁ ମାନସିକ ପୂରଣରେ କରୋନା କଟକଣା ପ୍ରତିବନ୍ଧକ ସାଜିଲା । ପୁଣି ଅପେକ୍ଷା ଆର ବର୍ଷକୁ ।ବିଶ୍ୱାସ ରହିଛି ଯେ, ମାନସିକ ରଖି ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂରଣ ହୋଇଥାଏ । ଏଥିପାଇଁ ଅନେକ ଭକ୍ତ ଶୈବ ପୀଠକୁ ପାରିଭାର ନେଇ ଯାତ୍ରା କରିଥାଆନ୍ତି । କିଏ ୫ବର୍ଷ ତ ଆଉ କିଏ ୭ବର୍ଷ ନହେଲେ ୧୫ ବର୍ଷ ମାନସିକ ରଖି ଏହି ଜଳଯାତ୍ରାରେ ଯାଇଥାଆନ୍ତି । ରାଜଧାନୀର ଶ୍ରୀଲିଙ୍ଗରାଜ ମନ୍ଦିର, କଟକର ଗଡ଼ଗଡ଼ିଆ ମହାଦେବ, ନୟାଗଡ଼ର ଲଡ଼ୁକେଶ୍ୱର, ପୁରୀର ଶ୍ରୀ ଲୋକନାଥ ମନ୍ଦିର, ଢେଙ୍କାନାଳର ଶ୍ରୀ କପିଳାସ ମହାଦେବ, ଜଗତସିଂହପୁରର ଶ୍ରୀ ଗୋରେଖନାଥଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳ ନେଇ ଯାଇଥାନ୍ତି । ହେଲେ ଏଥର ସେମାନଙ୍କ ଯାତ୍ରାରେ ଅଙ୍କୁଶ ଲାଗିବା ଜଳଜଳ ଦେଖାଯାଉଛି । ଅନ୍ୟପକ୍ଷରେ ମାନସିକ ପୂରଣ ପାଇଁ ଧାର୍ଯ୍ୟ ଥିବା ଅବଧି ଶେଷ ହୋଇନଥିବା ଭକ୍ତ ଏବେ ଚିନ୍ତାରେ ପଡ଼ିଛନ୍ତି । କ’ଣ କରିବେ, କେମିତି ଶୈବ ପୀଠରେ ପାଣି ଢାଳିବେ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ।୨୫ ବର୍ଷରୁ ଅଧିକ ବର୍ଷ ହେବ ଓଡ଼ିଶାରେ ଲୋକପ୍ରିୟ ହୋଇଛି ଏହି ବୋଲ୍ବମ୍ ଯାତ୍ରା । ବହୁ ପୂର୍ବରୁ ମାରୱାଡି ସମ୍ପ୍ରଦାୟ ଓ ଅନ୍ୟ ରାଜ୍ୟର କିଛି ଅଣଓଡ଼ିଆ ଭକ୍ତ ଏହି ଯାତ୍ରା କରୁଥିଲେ । ସେମାନେ ଓଡ଼ିଶାରେ ପ୍ରବାସୀ ଭାବରେ ରହି ପାଣି ନେଇ ଶୈବ ପୀଠରେ ଢାଳୁଥିଲେ । କାଳକ୍ରମେ ଏମାନଙ୍କୁ ଅନୁସରଣ କରି ଓଡ଼ିଶାର ଅନେକ ଭକ୍ତ ଏହି ଯାତ୍ରାରେ ସାମିଲ ହେଲେ । ଧୀରେ ଧୀରେ ଯୁବପିଢି ଅଧିକ ମାତ୍ରାରେ ଏଥିପ୍ରତି ଆକୃଷ୍ଟ ହେଲେ । ୧୯୯୫ ମସିହା ପରଠାରୁ ରାଜଧାନୀର ଶୈବ ପୀଠମାନଙ୍କୁ କାଉଡ଼ିଆଙ୍କ ଆଗମନ ହେଲା । କ୍ରମଶଃ ଲକ୍ଷାଧିକ ଭକ୍ତ ବିଭିନ୍ନ ନଦୀରୁ ପାଣିଭାର ନେଇ ବିଭିନ୍ନ ଶୈବ ପୀଠରେ ଢାଳିବା ଆରମ୍ଭ କଲେ ।
ଏହି ଯାତ୍ରାରେ ଯାଉଥିବା ଭକ୍ତମାନେ ମାସକ ସାରା ଆମିଷ ଓ ପିଆଜ ରସୁଣ ତ୍ୟାଗ କରିଥାନ୍ତି । ଅଲଗା ରୋଷେଇ କରି ଖାଇବା ବି ନଜିର ରହିଛି । ଯେଉଁମାନଙ୍କ ପାଇଁ ସମ୍ଭବ ହୁଏ ସେମାନେ ମାସକ ଯାକ ଅରୁଆ ଖାଆନ୍ତି । ଅନ୍ୟମାନେ କେବଳ ସୋମବାର ଦିନ ଅରୁଆ ଖାଇ ବ୍ରତ ରଖିନ୍ତି । କାଉଡ଼ିଆମାନେ ମାସ ସାରା ନିଶଦାଢ଼ି କିମ୍ବା ଚୁଟି କାଟନ୍ତି ନାହିଁ । କାହାରି ଘରେ ବି ଖାଆନ୍ତି ନାହିଁ । ଏବର୍ଷ କରୋନା କଟକଣା ଯୋଗୁ ପାଣି ଢାଳିବା ସମ୍ଭବର ନହେଉଥିବାରୁ କେବଳ ଉପାସନା ରଖି ଠାକୁରଙ୍କୁ ଆରାଧନା କରାଯିବ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି ।
ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୬ ତାରିଖରେ ପଡ଼ୁଛି । ଏତେ କମ୍ ସମୟ ଭିତରେ କେହି ଭକ୍ତ ପାଣି ନେଇ ଯିବାକୁ ପ୍ରସ୍ତୁତି ବି କରିନାହାନ୍ତି । କାରଣ କଟକଣା କୋହଳ ହେବାର ପ୍ରଶ୍ନ ଉଠୁନି । ଯଦିବା କେହି ଭକ୍ତ ନଦୀ ପଠାକୁ ଯାଇ ସେଠାରେ ଶିବ ଲିଙ୍ଗ ପ୍ରସ୍ତୁତ କରି ପାଣି ଢାଳିବାକୁ ଯୋଜନା କରୁଥିବେ ତାହା ମଧ୍ୟ ସାମାଜିକ ଦୂରତା ରକ୍ଷା ନିୟମ କଡ଼ାକଡ଼ି କାରଣରୁ ସମ୍ଭବ ହେବନି । ତେଣୁ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଏବର୍ଷ ଶ୍ରାବଣୀ ଯାତ୍ରା ଅଟକି ଯାଇଥିବା ଚର୍ଚ୍ଚା ହେଉଛି ।










