ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ରକୂଳରୁ ୩୫ ଫୁଟ ତିମି ଉଦ୍ଧାର
କୋଲକାତା:- ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ରକୂଳରେ ପଡିଛି ୩୫ ଫୁଟ ଲମ୍ବ ତିମି | କୋଲକାତାରୁ ୧୫୦ କିମି ଦୂର ମନ୍ଦାରମଣି ଅଞ୍ଚଳରେ ଏହିଭଳି ଏକ ଘଟଣା ପ୍ରଥମଥର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ତିମିଟି ରକ୍ତାକ୍ତ ଅବସ୍ଥାରେ ସମୁଦ୍ରକୂଳରେ ପଡିରହିଥିଲା | ତିମିକୁ ଦେଖିବାକୁ ସମୁଦ୍ରକୂଳରେ ଲୋକଙ୍କ ଭିଡ ଜମିଥିଲା |
ଖବର ପାଇ ପୂର୍ବ ମେଦିନୀପୁର ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ | ବନ୍ୟ ବିଭାଗ ଏବଂ ମତ୍ସ୍ୟ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ | ତେବେ ତିମିଟି କିଭଳି ରକ୍ତାକ୍ତ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ତିମି ଶରୀରରେ କ୍ଷତ ଚିହ୍ନ ରହିଛି | ସେ କିଭଳି କେଉଁଠାରେ ଆହତ ହୋଇଛି ତାହା ଜଣାପଡିନାହିଁ |
ମନ୍ଦାରମଣି ସମୁଦ୍ରକୂଳ ପଶ୍ଚିମବଙ୍ଗର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ | ଏହା ଦିଘା ନିକଟବର୍ତ୍ତୀ ରହିଛି ଯାହା ପଶ୍ଚିମବଙ୍ଗର ଆଉ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ |










