ଜୁଲାଇ ଅଧିକ ଗୁରୁତ୍ବପୂର୍ଣ୍ଣ, କୋଭିଡ୍ ମୁକାବିଲା ଲାଗି ୯ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ମତାମତ ରଖିଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ଜିଲ୍ଲାପାଳ, ଏସ୍.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ବାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ବାରୋପ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଅନେକ ତ୍ୟାଗ କରୁଥିବା କୋଭିଡ ଯୋଦ୍ଧାଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧାମାନଙ୍କ ସହିତ ଫୋନ୍ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଫିଡ୍ବ୍ୟାକ୍ ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ଏହା କରୋନା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି କରିବେ ବୋଲି କହିଛନ୍ତି ।
ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି।
କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି।
ଘରୋଇ ହସ୍ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଂଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହଟ୍ସ୍ପଟ୍ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।










