ତାମିଲନାଡୁରେ ବଢୁଛି ଚିତ୍ରତାରକାଙ୍କ ଫଟୋ ଥିବା ମାସ୍କ୍ରର ଚାହିଦା
ନୂଆଦିଲ୍ଲୀ: ସମ୍ପ୍ରତି ତାମିଲନାଡୁରେ କରୋନାଭାଇରସ୍ କବଳରୁ ସୁରକ୍ଷିତ ରହିବାକୁ ବନ୍ଧାଯାଉଥିବା ମାସ୍କ୍ରେ ଜନପ୍ରିୟ ଚଳଚ୍ଚିତ୍ର ତାରକାମାନଙ୍କର ଫଟୋ ଛାପା ଯାଉଛି। ଲୋକମାନେ ରଜନୀକାନ୍ତ, ବିଜୟ, ଅଜିତ ଏବଂ ସୂର୍ଯ୍ୟଙ୍କ ଭଳି ଜନପ୍ରିୟ ଅଭିନେତାମାନଙ୍କର ଫଟୋ ଥିବା ମାସ୍କ୍ ଖରିଦ କରୁଛନ୍ତି। ରାଜ୍ୟର ବସ୍ତ୍ର ରପ୍ତାନି ହବ୍ ବା ନାଭିଚକ୍ର ଭାବେ ପରିଚିତ ତିରୁପ୍ପୁରର ରପ୍ତାନିକାରୀମାନେ ମାସ୍କ୍ଗୁଡ଼ିକୁ ନୂଆ ରୂପ ଦେବା ପରେ ଏହାର ଚାହିଦା ବୃଦ୍ଧି ପାଇଛି।
ସେଣ୍ଟିନେଲ୍ କ୍ଲୋଦିଙ୍ଗ୍ର ସିଇଓ ଚନ୍ଦ୍ରକୁମାର କହନ୍ତି, ପ୍ରାୟ ୨୪ ବର୍ଷ ହେଲା ଆମେ ପୋଷାକ ରପ୍ତାନି ବ୍ୟବସାୟ କରୁଛୁ। କିନ୍ତୁ, ଲକ୍ଡାଉନ୍ ସମୟରେ ମାସ୍କ୍ ଚାହିଦା ବଢ଼ିବାରୁ ସୀମିତସଂଖ୍ୟକ କର୍ମଚାରୀଙ୍କୁ ନେଇ ମାସ୍କ୍ ତିଆରି କଲୁ। ପ୍ରାୟ ୪୫ ଦିନ ହେବ ଆମେ ପିପିଇ ମାସ୍କ୍ ତିଆରି କରୁଛୁ। ପ୍ରଥମେ ଅଳ୍ପ କେତେକ ସରକାରୀ କର୍ମଚାରୀଙ୍କୁ ଯୋଗାଉଥିଲୁ, ପରେ ଏହା ରୀତିମତ ବ୍ୟବସାୟ ପାଲଟିଗଲା।ପ୍ରଥମେ ଆମେ ରାଶି ସଙ୍କେତ ଛାପା ହୋଇଥିବା ମାସ୍କ୍ ତିଆରି କରୁଥିଲୁ। ପରେ ସପ୍ତାହକ ପାଇଁ ୭ ରଙ୍ଗିଆ ମାସ୍କ୍ ତିଆରି କଲୁ। ତାହା ଖୁବ୍ ଜନପ୍ରିୟ ହେଲା। କିନ୍ତୁ, ପରୀକ୍ଷାମୂଳକ ଭାବେ ଚିରସବୁଜ ହାସ୍ୟରସାତ୍ମକ ଅଭିନେତା ବାଡ଼ିବେଲୁ ଏବଂ ଆକ୍ସନ୍ ହିରୋମାନଙ୍କର ଫଟୋ ଛାପା ହେବା ପରେ ସପ୍ତାହେ ହେବ ମାସ୍କ୍ର ଚାହିଦା ଖୁବ୍ ଶୀଘ୍ର ବୃଦ୍ଧି ପାଇଲା। ସାଦା ମାସ୍କ୍ ଗୋଟିକୁ ୧୦ ଟଙ୍କାରେ ବିକୁ ଥିବା ବେଳେ ଛାପା ମାସ୍କ୍ ଗୋଟିକୁ ୧୫ ଟଙ୍କାରେ ବିକୁଛୁ।










